କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ଚେତାବନୀ: ଆଜି ଯେମିତି ହେଲେ ଦିଲ୍ଲୀକୁ ତାର ଅକ୍ସିଜେନ କୋଟା ଦିଅ ନଚେତ୍ ଅଦାଲତ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ | News Room Odisha

କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ଚେତାବନୀ: ଆଜି ଯେମିତି ହେଲେ ଦିଲ୍ଲୀକୁ ତାର ଅକ୍ସିଜେନ କୋଟା ଦିଅ ନଚେତ୍ ଅଦାଲତ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ହସ୍ପିଟାଲ ଗୁଡିକୁ ଅକ୍ସିଜେନ ଯୋଗାଣରେ ବିଳମ୍ବ, ଶଯ୍ୟା ଏବଂ ଔଷଧର ଅଭାବ ନେଇ ଦିଲ୍ଲୀ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ୮ ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇ ହାଇକୋର୍ଟ ଆଜି କେନ୍ଦ୍ର ଉପରେ ବର୍ଷିଛନ୍ତି । ଯଥେଷ୍ଟ ହେଇଗଲା । ପାଣି ମୁଣ୍ଡ ଉପରକୁ ଚଢ଼ିଯାଇଛି ବୋଲି କୋର୍ଟ କହିଛନ୍ତି । କେନ୍ଦ୍ରକୁ ଆଦେଶ ଦେଇ କୋର୍ଟ କହିଛନ୍ତି ଯେ, ଆଜି ଯେମିତି ହେଲେ ଦିଲ୍ଲୀକୁ ତାର ଅକ୍ସିଜେନ୍ କୋଟା ଦିଆଯାଉ । ଯଦି ଏଥିରେ ବିଳମ୍ବ ଘଟେ, ତେବେ ଆମେ ଅଦାଲତ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ, ଆମେ ଆଖି ସାମ୍ନାରେ ୮ ଜଣ ଲୋକଙ୍କ ଜୀବନ ଚାଲିଗଲା । ଆମେ ଲୋକଙ୍କୁ ମରିବା ଦେଖିପାରିବୁନି । ଅକ୍ସିଜେନ ସଙ୍କଟ ନେଇ କଣ ପଦକ୍ଷେପ ନିଆଯାଇଛି ତାହା ଆମକୁ ଜଣାଅ । ପାଣି ମୁଣ୍ଡ ଉପରକୁ ଚଢ଼ିଯାଇଛି ବୋଲି କହିବା ସହ ଆଜି ହିଁ ଦିଲ୍ଲୀକୁ ୪୯୦ ମାଟ୍ରିକ୍ ଟନ୍ ଅକ୍ସିଜେନ୍ କୋଟା ଯୋଗାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ପକ୍ଷରୁ କରାଯାଇଥିବା ଅନୁରୋଧକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ହାଇକୋର୍ଟ କହିଛନ୍ତି ଯେ, ଯଦି ଆମ ଆଦେଶ ପାଳନ ନ କରାଯାଏ ତେବେ ଆମେ ଅଦାଲତ ଅବମାନନା ନେଇ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।