କ୍ୱାଡ୍ ସମ୍ମିଳନୀରେ ନିଷ୍ପତ୍ତି: ଆମେରିକା ଓ ଜାପାନ ସହାୟତାରେ ଭାରତ ତିଆରି କରିବ ୧୦୦ କୋଟି କରୋନା ଟିକା | News Room Odisha

କ୍ୱାଡ୍ ସମ୍ମିଳନୀରେ ନିଷ୍ପତ୍ତି: ଆମେରିକା ଓ ଜାପାନ ସହାୟତାରେ ଭାରତ ତିଆରି କରିବ ୧୦୦ କୋଟି କରୋନା ଟିକା

ନୂଆଦିଲ୍ଲୀ – କ୍ୱାଡ୍ ରାଷ୍ଟ୍ରମୁଖ୍ୟ(ଭାରତ-ଜାପାନ-ଆମେରିକା-ଅଷ୍ଟ୍ରେଲିଆ)ଙ୍କ ଭର୍ଚୁୁଆଲ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କୋଭିଡ୍ ମୁକାବିଲା ପାଇଁ ଭାରତକୁ ବଡ଼ ଦାୟିତ୍ୱ ଦିଆଯାଇଛି । ଦକ୍ଷିଣ ଏସୀୟ ଦେଶମାନଙ୍କରେ କରୋନ ମୁକାବିଲା ପାଇଁ ଭାରତ ୧୦୦ କୋଟି କୋଭିଡ୍ ଟିକା ଉତ୍ପାଦନ କରିବ । ଏଥିପାଇଁ ଆମେରିକା ଓ ଜାପାନ ଆର୍ଥିକ ସହାୟତା ଯୋଗାଇବେ ।

ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚାଇନିଜ ପତିଆରାର ମୁକାବିଲା କରିବା ଲାଗି ଏକାଠି ହୋଇଛନ୍ତି କ୍ୱାଡ୍ ରାଷ୍ଟ୍ର । ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୱାଡ୍ ରାଷ୍ଟ୍ରମୁଖ୍ୟଙ୍କ ଭର୍ଚୁଆଲ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ, ଜାପାନ ପ୍ରଧାନମନ୍ତ୍ରୀ ଯୋଶିହିଦେ ସୁଗା ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ଯୋଗ ଦେଇଥିଲେ । ବିଡେନ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠୁ ପ୍ରଥମ ଥର ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ମୋଦିଙ୍କୁ ଭେଟିବା ପରେ ବିଡେନ୍ କହିଥିଲେ, ଆପଣଙ୍କୁ ଦେଖି ମୁଁ ବହୁତ ଖୁସି ।

ମୋଦି କହିଥିଲେ, କ୍ୱାଡ୍ ରାଷ୍ଟ୍ର ସେମାନଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଯୋଗୁଁ ଏକତ୍ରିତ ହୋଇଛନ୍ତି । ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଏହି କ୍ୱାଡ୍ ରାଷ୍ଟ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି କ୍ୱାଡ୍ ସମ୍ମିଳନୀରେ କୋଭିଡ୍ ମୁକାବିଲା ପାଇଁ ରଣନୀତି ସହ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନର ପ୍ରଭାବ ହ୍ରାସ କରିବା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।