ଚତୁର୍ଥ ଟେଷ୍ଟ: ରିଷଭ ପନ୍ତଙ୍କ ଶତକ ବଳରେ ଭାରତ ଅଗ୍ରଣୀ | News Room Odisha

ଚତୁର୍ଥ ଟେଷ୍ଟ: ରିଷଭ ପନ୍ତଙ୍କ ଶତକ ବଳରେ ଭାରତ ଅଗ୍ରଣୀ

ଅହମ୍ମଦାବାଦ – ରିଷଭ ପନ୍ତଙ୍କ ଆକ୍ରମଣାତ୍ମକ ଶତକ ଏବଂ ୱାଶିଂଟନ ସୁନ୍ଦରଙ୍କ ଉପଯୋଗୀ ଅର୍ଦ୍ଧଶତକ ବଳରେ ଭାରତ ଟପ୍ ଅର୍ଡର ବିପର୍ଯ୍ୟୟରୁ ମୁକୁଳି ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ସ୍ଥିତି ସୁଦୃଢ କରିନେଇଛି । ପନ୍ତ୍ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ବେଳେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୨୯୪ ରନ୍ କରିନେଇଛି । ପନ୍ତ୍ ୧୧୮ ବଲ୍‌ରେ ୧୦୧ ରନର ଏକ ଚମତ୍କାର ପାଳି ଖେଳି ଦଳକୁ ବିପର୍ଯ୍ୟୟରୁ ମୁକୁଳାଇଥିଲେ । ତାଙ୍କର ଏହି ଇନିଂସ୍‌ରେ ୧୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା । ହାତରେ ଆଉ ୩ ୱିକେଟ୍ ରହିଥିବା ବେଳେ ଭାରତ ଏଯାବତ୍ ୮୯ ରନରେ ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପ ଅପସାରଣ ବେଳକୁ ସୁନ୍ଦର ୬୦ ଏବଂ ଅକ୍ଷର ପଟେଲ୍ ୧୧ ରନ୍ କରି ଅପରାଜିତ ଅଛନ୍ତି ।

ପୂର୍ବରୁ ଭାରତ ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୪/୧ରୁ ଖେଳ ଆରମ୍ଭ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପୂଜାରା (୧୭) ଶୀଘ୍ର ଆଉଟ୍ ହୋଇଯାଇଥିଲେ । ଅଧିନାୟକ ବିରାଟ କୋହଲି ଖାତା ଖୋଲିପାରିନଥିଲେ । କୋହଲିଙ୍କୁ ପ୍ୟାଭିଲିୟନ୍ ଫେରାଇ ବେନ୍ ଷ୍ଟୋକ୍ସ ଭାରତକୁ ବଡ଼ ଝଟକା ଦେଇଥିଲେ । ରାହାଣେଙ୍କ ଖରାପ ଫର୍ମ ଜାରି ରହିଥିଲା । ସେ ମାତ୍ର ୨୭ ରନ୍ କରି ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଥିବା ବେଳେ ରୋହିତ ଶର୍ମା ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ରୋହିତ ୪୯ ରନ୍ କରି ଷ୍ଟୋକ୍ସଙ୍କ ଦ୍ୱିତୀୟ ଶିକାର ବନାଇଥିଲେ । ଭାରତ ଏକଦା ୧୪୬ ରନରେ ୬ ୱିକେଟ୍ ହରାଇ ସଂଘର୍ଷ କରୁଥିଲା ବେଳେ ପନ୍ତ ଓ ସୁନ୍ଦର ସପ୍ତମ ୱିକେଟରେ ଗୁରୁତ୍ୱପୂର୍ଣ୍ଣ ୧୧୩ ରନ୍ ଯୋଗକରି ଦଳୀୟ ସ୍ଥିତି ସୁଧାରିଥିଲେ । ପନ୍ତ୍ ଏକ ଛକା ମାରି ନିଜର ପ୍ରଥମ ଶତକ ହାସଲ କରିଥିଲେ । ତେବେ ଶତକ ପୂରଣ କରିବା ପରେ ପରେ ସେ ଆଣ୍ଡରସନଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ହେଲେ ସୁନ୍ଦର ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରି କ୍ରିଜରେ ଅଛନ୍ତି । ଆସନ୍ତାକାଲି ଅଗ୍ରଣୀକୁ ୧୦୦ ରନରେ ପହଞ୍ଚାଇବା ଭାରତର ପ୍ରଥମ ଲକ୍ଷ୍ୟ ହେବ । ଉଲ୍ଲେଖଯୋଗ୍ୟ ଯେ, ଚାରି ମ୍ୟାଚ୍ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି । ଚତୁର୍ଥ ଟେଷ୍ଟକୁ ଭାରତ ଜିତିଲେ କିମ୍ବା ଡ୍ର ରଖିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ ।