ଚାଷୀ ଆନ୍ଦୋଳନ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀଙ୍କ ଅଧିକାର ରହିଛି କହିଲେ ସୁପ୍ରିମକୋର୍ଟ, କୃଷି ଆଇନକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ପରାମର୍ଶ | News Room Odisha

ଚାଷୀ ଆନ୍ଦୋଳନ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀଙ୍କ ଅଧିକାର ରହିଛି କହିଲେ ସୁପ୍ରିମକୋର୍ଟ, କୃଷି ଆଇନକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ପରାମର୍ଶ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀମାନଙ୍କ ଅଧିକାର ରହିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରତ ଚାଷୀଙ୍କୁ ଜାତୀୟ ରାଜପଥରୁ ହଟାଇବା ପାଇଁ ଆଗତ ଏକାଧିକ ପିଟିସନର ଶୁଣାଣି ବେଳେ ଗୁରୁବାର ସୁପ୍ରିମକୋର୍ଟ ଏହି ମତବ୍ୟକ୍ତ କରିଛନ୍ତି । ଚାଷୀମାନଙ୍କ ସହ ଆଲୋଚନା ପୁଣି ଆରମ୍ଭ କରିବା ପାଇଁ କୃଷି ଆଇନକୁ ସ୍ଥଗିତ ରଖିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ତେବେ କେନ୍ଦ୍ର ଏହି ପ୍ରସ୍ତାବରେ ଆପତ୍ତି ପ୍ରକାଶ କରିଛି । କୃଷି ଆଇନକୁ ସ୍ଥଗିତ ରଖାଗଲେ ଚାଷୀମାନେ ଆଲୋଚନାକୁ ଆସିବେ ନାହିଁ ବୋଲି କେନ୍ଦ୍ର ତରଫରୁ ଯୁକ୍ତି କରାଯାଇଛି ।

କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୨ ଦିନରେ ପହଞ୍ôଚଥିବା ବେଳେ ଚାଷୀଙ୍କ ଲାଗି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିବା ଦର୍ଶାଇ ଅନେକ ପିଟିସନର ଶୁଣାଣି ସୁପ୍ରିମକୋର୍ଟରେ ଗତ ଦୁଇଦିନ ଧରି ଜାରି ରହିଛି । ଆଜି ପୁଣି ଏହି ପ୍ରସଙ୍ଗରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସ୍ୱୀକୃତି ଦେଇ କହିଥିଲେ ଯେ, କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ କରିବାର ଅଧିକାର ରହିଛି । କିନ୍ତୁ ଏଥିପାଇଁ ଅନ୍ୟମାନଙ୍କୁ ଅସୁବିଧା ହେବା ଉଚିତ ନୁହେଁ । ଚାଷୀମାନେ ନିଜ ଆନ୍ଦୋଳନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କଣ କରାଯିବା ଉଚିତ ଆମେ ଦେଖିବୁ । ଚାଷୀ ଆନ୍ଦୋଳନ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବା ପାଇଁ ଏକ ସ୍ୱୀଧୀନ କମିଟି ଗଠନ ଲାଗି ମଧ୍ୟ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି । ଏହି କମିଟିରେ କୃଷି ବିଶେଷଜ୍ଞ ଓ ସରକାରଙ୍କ ପ୍ରତିନିଧି ବି ସାମିଲ ହୋଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କରିଛନ୍ତି ।

Farmers' Protest