ଚାଷୀ-କେନ୍ଦ୍ର ଆଲୋଚନାରୁ ସକାରାତ୍ମକ ସଙ୍କେତ, ଦୁଇଟି ପ୍ରସଙ୍ଗ ଉପରେ ଉଭୟ ପକ୍ଷ ସହମତ | News Room Odisha

ଚାଷୀ-କେନ୍ଦ୍ର ଆଲୋଚନାରୁ ସକାରାତ୍ମକ ସଙ୍କେତ, ଦୁଇଟି ପ୍ରସଙ୍ଗ ଉପରେ ଉଭୟ ପକ୍ଷ ସହମତ

ନୂଆଦିଲ୍ଲୀ – କୃଷି ଆଇନକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାର ସକାରାତ୍ମକ ସଙ୍କେତ ମିଳିଛି । ଗତକାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ହୋଇଥିବା ସପ୍ତମ ପର୍ଯ୍ୟାୟ ଆଲୋଚନା ପରେ ଉଭୟ ପକ୍ଷ ନରମିଥିବା ଆଭାସ ମିଳିଛି । ଚାଷୀଙ୍କ ଚାରୋଟି ମୁଖ୍ୟ ଦାବି ମଧ୍ୟରୁ ଦୁଇଟି ମାନିବାକୁ ସରକାର ରାଜି ହୋଇଛନ୍ତି । ଦିଲ୍ଳୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣ ନେଇ ପ୍ରସ୍ତାବିତ ଆଇନରେ ଚାଷୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସରକାର ରାଜି ହୋଇଛନ୍ତି ।

ସେହିପରି ବିଦ୍ୟୁତ ସଂଶୋଧନ ବିଲ୍ ନେଇ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଛି । ତେବେ ଏବେ ବି ଦୁଇ ଦାବି ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ କୌଣସି ସହମତି ପ୍ରକାଶ ପାଇନାହିଁ । ଏହି ଦୁଇ ଦାବି ହେଲା କୃଷି ଆଇନକୁ ରଦ୍ଦ କରିବା ଏବଂ ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ନେଇ ଆଇନଗତ ଗ୍ୟାରେଣ୍ଟି । ଏହି ଦୁଇ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଜାନୁୟାରୀ ୪ରେ ହେବ । କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ୩୬ତମ ଦିନରେ ପହଞ୍ଚିଛି । ଦିଲ୍ଲୀର ସବୁ ସୀମାରେ ଏବେ ବି ପଞ୍ଜାବ, ହରିୟାଣା, ରାଜସ୍ଥାନ, ଛତିଶଗଡ଼ ଓ ଅନ୍ୟ କିଛି ରାଜ୍ୟର ଚାଷୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।

Farmers' Protest