‘ଜାତୀୟ ସଙ୍କଟ’ ପ୍ରତି ନୀରବଦ୍ରଷ୍ଟା ରହିପାରିବୁ ନାହିଁ: ସୁପ୍ରିମକୋର୍ଟ | News Room Odisha

‘ଜାତୀୟ ସଙ୍କଟ’ ପ୍ରତି ନୀରବଦ୍ରଷ୍ଟା ରହିପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଭୟାବହ କୋଭିଡ୍ ସ୍ଥିତିକୁ ‘ଜାତୀୟ ସଙ୍କଟ’ ରୂପେ ଅଭିହିତ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଥିପ୍ରତି ଆମେ ନୀରବଦ୍ରଷ୍ଟା ରହିପାରିବୁ ନହିଁ । ଦେଶରେ କୋଭିଡ୍ ସ୍ଥିତି ନେଇ ନିଜ ଆଡୁ ସଜ୍ଞାନ ନେଇଥିବା ସୁପ୍ରିମକୋର୍ଟ କହିଛନ୍ତି, ଏହି ପ୍ରସଙ୍ଗରେ ବିଭିନ୍ନ ହାଇକୋର୍ଟରେ ହେଉଥିବା ଶୁଣାଣିକୁ ପ୍ରଭାବିତ କରିବା ଆମର କୌଣସି ଉଦ୍ଦେଶ୍ୟ ନାହିଁ । ହାଇକୋର୍ଟ ମାନେ ନିଜ ଅଞ୍ଚଳରେ କୋଭିଡ୍ ସ୍ଥିତି ଉପରେ ନଜର ରଖିବାକୁ ଭଲ ସ୍ଥିତିରେ ଅଛନ୍ତି । କିନ୍ତୁ କିଛି ଜାତୀୟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଜରୁରୀ । କାରଣ ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟତା ସମ୍ବନ୍ଧୀୟ କିଛି ମାମଲା ବି ରହିଛି ବୋଲି ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ କୋଭିଡ୍ ସ୍ଥିତି ଉପରେ ଶୁଣାଣି ବେଳେ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ହାଇକୋର୍ଟରେ ଶୁଣାଣି ବେଳେ କୌଣସି ଅସୁବିଧା ହୁଏ, ତେବେ ଆମେ ସହଯୋଗ କରିବୁ । ଦେଶରେ କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କିନ୍ତୁ ଅକ୍ସିଜେନକୁ ନେଇ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି କରାଯାଇଛି, ଯାହା ଫଳରେ ଏନେଇ ଲୋକମାନେ ବିଭିନ୍ନ ହାଇକେର୍ଟର ଦ୍ୱାରସ୍ଥ ହୋଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଦେଶରେ ବିଗୁଡୁଥିବା କୋଭିଡ୍ ସ୍ଥିତି ଉପରେ ନିଜ ଆଡୁ ସଜ୍ଞାନ ନେଇ ସୁପ୍ରିମକୋର୍ଟ ଏନେଇ କଣ ଜାତୀୟ ଯୋଜନା ରହିଛି ଜଣାଇବାକୁ କିଛିଦିନ ତଳେ କେନ୍ଦ୍ରକୁ ନୋଟିସ୍ ପଠାଇଥିଲେ ।