ଓ୍ୱାଶିଂଟନ – ଆମେରିକା ସଂସଦ ଭିତରେ ଏବଂ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ହିଂସା ମଧ୍ୟରେ ଟ୍ୱିଟର ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍ କରିଛି । ଏହା ପରେ ଟ୍ରମ୍ପ ଶୁକ୍ରବାର ତାଙ୍କ ଅଫିସିଆଲ୍ ଆକାଉଣ୍ଟ @ POTUS ରୁ ଟ୍ୱିଟ୍ କରିଥିଲେ, ଯାହା ଟ୍ୱିଟର କିଛି ସେକେଣ୍ଡ ମଧ୍ୟରେ ଡିଲିଟ କରିଦେଇଛି ।
ଏହି ଅଫିସିଆଲ୍ ଆକାଉଣ୍ଟରୁ ଟ୍ରମ୍ପ ଲେଖିଥିଲେ ଯେ, ଭବିଷ୍ୟତରେ ଆମେ ଏକ ନୂଆ ପ୍ଲାଟଫର୍ମ ନିର୍ମାଣ କରିବୁ। ଆମର ସ୍ୱରକୁ ଦମନ କରାଯାଇପାରିବ ନାହିଁ । ଟ୍ୱିଟର ଆମର କର୍ତ୍ତୃତ୍ୱକୁ ଦମନ କରୁଛି। ଡେମୋକ୍ରାଟ୍ସଙ୍କ ସହ ମିଶି ଟ୍ୱିଟର ମୋ ଆକାଉଣ୍ଟକୁ ଟ୍ୱିଟରରୁ ହଟାଇ ଦେଇଛି। ୭ କୋଟି ୫୦ ହଜାର ଲୋକଙ୍କ ସ୍ୱରକୁ ଦମନ କରାଯାଇପାରିବ ନାହିଁ ।
ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟର କହିଛି ଯେ ଭବିଷ୍ୟତରେ ହିଂସା ହେବାର ଆଶଙ୍କା କରି ଆମେ ଏହି ନିଷ୍ପତ୍ତି ନେଇଛୁ। ଟ୍ୱିଟର କହିଛି, ‘ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟରେ ସାମ୍ପ୍ରତିକ ଟୁଇଟ୍ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଟ୍ରମ୍ପଙ୍କ ଟ୍ୱିଟ୍ କିପରି ଓ କେଉଁ ଅର୍ଥରେ ନିଆଯାଉଛି ତାହାାସ୍ପଷ୍ଟ ହୋଇଛି । ତେଣୁ, ଅଧିକ ବିପଦକୁ ଦୃଷ୍ଟିରେ ରଖି ଆମେ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ।
ଭବିଷ୍ୟତରେ ଯଦି ଟ୍ରମ୍ପ ନିୟମ ଭାଙ୍ଗନ୍ତି ତେବେ ତାଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯିବ ବୋଲି ଟ୍ୱିଟର ପୂର୍ବରୁ ଚେତାବନୀ ଦେଇଥିଲା।