ଡବ୍ଲୁଟିସି ଫାଇନାଲ ଏବଂ ଇଂଲଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ଜାଡେଜା ଓ ବିହାରୀ ଫେରିଲେ, ପାଣ୍ଡ୍ୟା ବାଦ୍ | News Room Odisha

ଡବ୍ଲୁଟିସି ଫାଇନାଲ ଏବଂ ଇଂଲଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ଜାଡେଜା ଓ ବିହାରୀ ଫେରିଲେ, ପାଣ୍ଡ୍ୟା ବାଦ୍

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ର ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି 20 ଖେଳାଳିଙ୍କ ଏକ ଦଳ ଚୟନ କରିଛି । ଏଥିରେ ୬ ଜଣ ଦ୍ରୁତ ବୋଲର ଏବଂ ୩ ସ୍ପିନର ଅଛନ୍ତି । ଆଘାତ ସମସ୍ୟାରୁ ମୁକୁଳି ରବିନ୍ଦ୍ର ଜାଡେଜା ଏବଂ ହନୁମା ବିହାରୀ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ମହମ୍ମଦ ଶାସିତ ମଧ୍ୟ ଦଳକୁ ଫେରିଛନ୍ତି । ଏହି ତିନି ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ବେଳେ ଆହତ ହୋଇ ସିରିଜ ଅଧାରୁ ସ୍ବଦେଶ ଫେରିଥିଲେ । ଅନ୍ୟପକ୍ଷେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୃଥ୍ବୀ ଶ’ ବାଦ୍ ପଡିଛନ୍ତି।
ହାର୍ଦ୍ଦିକ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିଲେ । ତେବେ ଗୋଟିଏ ବି ଟେଷ୍ଟ ଖେଳିନଥିଲେ । ଟେଷ୍ଟରେ ସେ ବୋଲିଂ କରିବାକୁ ଫିଟ୍ ନଥିବାରୁ ତାଙ୍କୁ ଆଗାମୀ ଡବ୍ଲୁଟିସି ଫାଇନାଲ ଏବଂ ଇଂଲଣ୍ଡ ଗସ୍ତରୁ ବାଦ ଦିଆଯାଇଛି । ତାଙ୍କୁ ଏଣିକି ଟେଷ୍ଟ ପାଇଁ ବିଚାର କରାଯିବ ନାହିଁ ବୋଲି ବିସିିସିଆଇର ଜଣେ ଅଧିକାରୀ କହିଛନ୍ତି ।

ହ୍ୱାଇଟ୍ ବଲରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଶ’ ମଧ୍ୟ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଦ୍ରୁତ ବୋଲର ନବଦୀପ ସାଇନି ଏବଂ ଫର୍ମ ପାଇଁ ସଂଘର୍ଷ କରୁଥିବା ସ୍ପିନର କୁଲଦୀପ ଯାଦବଙ୍କୁ ମଧ୍ୟ ବାଦ୍ ଦିଆଯାଇଛି ।

ଆପେଣ୍ଟିସାଇଟିସ୍ ଅସ୍ତ୍ରୋପଚାର ପରେ ସୁସ୍ଥ ହେଉଥିବା ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲ ଏବଂ କରୋନା ପଜିଟିଭ୍ ହୋଇଥିବା ରିଦ୍ଧିମାନ ଶାହାଙ୍କୁ ମଧ୍ୟ ୨୦ ଜଣିଆ ଦଳରେ ସାମିଲ କରାଯାଇଛି । ତେବେ ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଉଭୟଙ୍କୁ ନିଜ ଫିଟନେସ୍ ପ୍ରମାଣ ଦେବାକୁ ପଡିବ ।

ଅନ୍ୟପଟେ ଭାରତୀୟ ଚୟନକର୍ତ୍ତା ଦଳରେ ତିନି ଜଣ ଷ୍ଟାଣ୍ଡବାଇ ଖେଳାଳି ସାମିଲ କରିଛନ୍ତି । ଏହି ଚାରି ଖେଳାଳି ହେଲେ ଅଭିମନ୍ୟୁ ଈଶ୍ୱରନ, ପ୍ରସିଦ୍ଧ କ୍ରିଷ୍ଣା, ଅବେଶ ଖାନ ଏବଂ ଅର୍ଜନ ନାଗୱାସୱାଲା ।

ଡବ୍ଲୁଟିସି ଫାଇନାଲ ସାଉଥମ୍ପଟନରେ ଜୁନ ୧୮ରୁ ୨୩ ଯାଏଁ ଖେଳାଯିବ । ଏହାପରେ ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ନଟିଂହାମରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଲର୍ଡ୍ସରେ (ଅଗଷ୍ଟ ୧୨-୧୬), ତୃତୀୟ ଟେଷ୍ଟ ଲିଡ୍ସ (ଅଗଷ୍ଟ ୨୫-୨୯), ଚତୁର୍ଥ ଟେଷ୍ଟ ଓଭାଲ(ସେପ୍ଟେମ୍ବର ୨-୬) ଏବଂ ପଞ୍ଚମ ଟେଷ୍ଟ ମାଞ୍ଚେଷ୍ଟର (ସେପ୍ଟେମ୍ବର ୧୦-୧୪)ରେ ଖେଳାଯିବ ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ରିଷଭ ପନ୍ତ, ଲୋକେଶ ରାହୁଲ ଏବଂ ରିଦ୍ଧିମାନ ସାହା (ରାହୁଲ-ସାହାଙ୍କୁ ଫିଟନେସ୍ ପରୀକ୍ଷା ଦେବାକୁ ପଡିବ), ହନୁମା ବିହାରୀ, ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର,ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଏବଂ ଉମେଶ ଯାଦବ

ଷ୍ଟାଣ୍ଡବାଇ ଖେଳାଳି: ଈଶ୍ୱରନ, ପ୍ରସିଦ୍ଧ କ୍ରିଷ୍ଣା, ଅବେଶ ଖାନ ଏବଂ ଅର୍ଜନ ନାଗୱାସୱାଲା ।