ଡିଏମ୍‌କେ ସାଂସଦ ଏ.ରାଜାଙ୍କୁ ପ୍ରଚାରରୁ ବାସନ୍ଦ କଲେ ନିର୍ବାଚନ କମିଶନ | News Room Odisha

ଡିଏମ୍‌କେ ସାଂସଦ ଏ.ରାଜାଙ୍କୁ ପ୍ରଚାରରୁ ବାସନ୍ଦ କଲେ ନିର୍ବାଚନ କମିଶନ

ଚେନ୍ନାଇ – ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇକେ ପାଲାନିସ୍ୱାମୀଙ୍କ ମାଆଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିବା ଡିଏମ୍‌କେ ସାଂସଦ ଏ.ରାଜାଙ୍କୁ ମହଙ୍ଗା ପଡିଛି । ରାଜାଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନିର୍ବାଚନ କମିଶନ ତାଙ୍କୁ ପ୍ରଚାରରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବାସନ୍ଦ କରିଛନ୍ତି । ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ନିର୍ବାଚନ କମିଶନ ରାଜାଙ୍କୁ ଚେତାବନୀ ମଧ୍ୟ ଦେଇଛି ।

ମାର୍ଚ୍ଚ ୨୬ରେ ଥାଉଜେଣ୍ଡ୍‌ସ ଲାଇଟ୍ସ ନିର୍ବାଚନ ମଣ୍ଡଳୀରେ ଏକ ସଭାରେ ରାଜା ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ମାଆଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଥିଲେ । ଏନେଇ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ରାଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ପ୍ରଚାରରୁ ବାରଣ କରିଛନ୍ତି । କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ୍ ମଧ୍ୟ ରାଜାଙ୍କ ବିରୋଧରେ ଜନ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ ମାମଲା ରୁଜୁ କରିଥିଲା ।

ପାଲାନିସ୍ୱାମୀଙ୍କ ମାଆଙ୍କ ବିରୋଧରେ ଟିପ୍ପଣୀ ପାଇଁ ରାଜାଙ୍କ ଠାରୁ କୈଫିୟତ ଲୋଡିଥିଲା ନିର୍ବାଚନ କମିଶନ । ରାଜା ବୁଧବାର ଏହାର ଜବାବ ଦାଖଲ କରିଥିଲେ । ତାଙ୍କ ବିରୋଧରେ ଅଭିଯୋଗକୁ ରାଜା ଖଣ୍ଡନ କରିଥିଲେ । କିନ୍ତୁ ନିର୍ବାଚନ କମିଶନ ତାଙ୍କ ଜବାବ ସନ୍ତୋଷଜନକ ନୁହେଁ ବୋଲି କହିଥିଲେ ।