ଦିଲ୍ଲୀରେ ଲକ୍‌ଡାଉନ୍ ମେ ୩ ଯାଏଁ ବୃଦ୍ଧି | News Room Odisha

ଦିଲ୍ଲୀରେ ଲକ୍‌ଡାଉନ୍ ମେ ୩ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ – ଦିଲ୍ଲୀରେ ଲକ୍‌ଡାଉନ୍‌କୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି । ଦୈନିକ ମାମଲା କମିଥିଲେ ମଧ୍ୟ ସଂକ୍ରମଣ ହାର ଅଧିକ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବେ ଜାତୀୟ ରାଜଧାନୀରେ ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏନେଇ ଆଜି ଘୋଷଣା କରିଛନ୍ତି ।
କେଜରିୱାଲ କହିଛନ୍ତି ଯେ, ଏବେ ବି କରୋନାର ଆତଙ୍କ ଜାରି ରହିଛି । ଲକ୍‌ଡାଉନ୍ ବୃଦ୍ଧି କରିବାକୁ ଜନସାଧାରଣ ବି ଚାହିଁଥିଲେ । ତେଣୁ ଲକ୍‌ଡାଉନକୁ ଆଉ ସପ୍ତାହେ ପାଇଁ ବଢ଼ାଯାଇଛି ।

ଦିଲ୍ଲୀରେ ପଜିଟିଭିଟି ରେଟ୍ ୩୬ ରୁ ୩୭% ରହିଛି ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀ ପାଇଁ ଅକ୍ସିଜେନ୍ କୋଟା ବୃଦ୍ଧି କରାଯାଇଥିଲେ ହେଁ ପରିବହନ ସମସ୍ୟା ରହିଛି । ଦିଲ୍ଲୀ ପାଇଁ ଅକ୍ସିଜେନ କୋଟା ୪୮୦ରୁ ୪୯୦ ମେଟ୍ରିକ ଟନ୍‌କୁ ବୃଦ୍ଧି କରାଯାଇଛି । କିନ୍ତୁ ଦୈନିକ ଆବଶ୍ୟକତା ୭୦୦ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି । ଏବେ ଆମକୁ କେବଳ ୩୩୦ରୁ ୩୩୫ ମେଟ୍ରିିକ ଟନ୍ ଅକ୍ସିଜେନ୍ ମିଳୁଛି ବୋଲି କେଜରିୱାଲ କହିଛନ୍ତି ।