ଦିଲ୍ଲୀ ନଗର ନିଗମ ଉପନିର୍ବାଚନ: ୫ରୁ ୪ ଆସନରେ ଆପ୍ ର ବାଜିମାତ୍‌, କହିଲା ୨୦୨୨ ନିର୍ବାଚନ ପାଇଁ ବିଜେପିକୁ ବାର୍ତ୍ତା | News Room Odisha

ଦିଲ୍ଲୀ ନଗର ନିଗମ ଉପନିର୍ବାଚନ: ୫ରୁ ୪ ଆସନରେ ଆପ୍ ର ବାଜିମାତ୍‌, କହିଲା ୨୦୨୨ ନିର୍ବାଚନ ପାଇଁ ବିଜେପିକୁ ବାର୍ତ୍ତା

ନୂଆଦିଲ୍ଲୀ – ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍‌)ର ବାଜି ମାରିନେଇଛି । ପାଞ୍ଚଟି ଆସନ ପାଇଁ ହୋଇଥିବା ଏହି ଉପ ନିର୍ବାଚନରେ ଆପ୍ ଚାରୋଟିରେ ବିଜୟୀ ହୋଇଛି । ଉପନିର୍ବାଚନରେ ବିଜୟ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦଳର ସବୁ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୦୨୨ରେ ହେବାକୁ ଥିବା ଏମ୍‌ସିଡି ନିର୍ବାଚନ ପୂର୍ବରୁ ଉପନିର୍ବାଚନପ ଫଳାଫଳ ବିଜେପି ପାଇଁ ଏକ ବାର୍ତ୍ତା ବୋଲି ସିସୋଦିଆ କହିଛନ୍ତି ।

ଏମ୍‌ସିଡି ଉପନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ପାର୍ଟି କଲ୍ୟାଣପୁର, ରୋହିଣୀ-ସି, ତ୍ରିଲୋକପୁରୀ, ଶାଲିମାର ବାଗ୍ ଆସନରେ ବିଜୟ ହାସଲ କରିଥିବା ବେଳେ ଚୌହାନ ବାଙ୍ଗର ଆସନରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି । ଏହି ପାଞ୍ଚ ଆସନ ମଧ୍ୟରୁ ବିଜେପି ଅକ୍ତିଆରରେ ଗୋଟିଏ ଆସନ ଥିଲା । ତେବେ ଉପନିର୍ବାଚନରେ ସେହି ଆସନ ବି ବିଜେପି ହାତରୁ ଖସିଛି ।

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ନଗର ନିଗମରେ ବହୁବର୍ଷ ହେଲା ବିଜେପିର ପ୍ରାଧାନ୍ୟ ରହି ଆସିଛି । ୨୦୨୨ରେ ଏମ୍‌ସିଡି ନିର୍ବାଚନ ହେବାକୁ ଥିବା ବେଳେ ଉପନିର୍ବାଚନ ଫଳାଫଳରୁ ବିଜେପିର ଦବ୍‌ଦବା କମୁଥିବା ସଙ୍କେତ ମିଳିଛି ।