ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା : ୬ ଦୁର୍ନାତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର | News Room Odisha

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା : ୬ ଦୁର୍ନାତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର- ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ସ୍ୱରୂପ ରାଜ୍ୟ ସରକାର ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଇଂଜିନିୟର ଥିଲା ବେଳେ ୨ ଜଣ ଅବକାରୀ ବିଭାଗର ଅଧିକାରୀ ଅଛନ୍ତି । ଅପାରଗ ଓ ଅସାଧୁ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲେରାନ୍ସ ନୀତି ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି । ଯେଉଁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ସେମାନେ ହେଲେ କେନ୍ଦୁଝର ରୁରାଲ ୱାର୍କ ଡିଭିଜନର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା । ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି । ଆଉ ଜଣେ ଯନ୍ତ୍ରୀ ହେଲେ ଜିତେନ୍ଦ୍ର କୁମାର ଦଳାଇ । ସେ କଟକ ଆର୍ ଏଣ୍ଡ୍ ବି ବିଭାଗର ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ସହକାରୀ ଯନ୍ତ୍ରୀ ଭାବେ ସେ କାର୍ଯ୍ୟରତ । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ କେସ ରହିଛି । ଦଣ୍ଡିତ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମୟୂରଭଞ୍ଜ କରଂଜିଆର ଗ୍ରାମୀଣ କାର୍ଯ୍ୟ ବିଭାଗ-୧ର ସହକାରୀ ଯନ୍ତ୍ରୀ ବିଜୟ ପରିଡା । ସେ ତିନିଟି ଭିଜିଲାନ୍ସ କେସରେ ଜଡିତ । ମରାମତି କାମ କରିବା ସମୟରେ ସେ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ମଧ୍ୟ ରହିଛି । ଅନ୍ୟ ଜଣେ ହେଲେ ଭୁବନେଶ୍ୱର ଆର୍ ଏଣ୍ଡ ିବ ବିଭାଗର ନମ୍ବର-୨ର ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ । ତାଙ୍କ ବିରୋଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ଆଦି ଗୁରୁତର ଅଭିଯୋଗକୁ ଭିତ୍ତି କରି ୬ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

ବାଧ୍ୟତାମୂଳର ଅବସର ଦିଆଯାଇଥିବା ଅବକାରୀ ବିଭାଗର ଅଧିକାରୀମାନେ ହେଲେ ସମ୍ବଲପୁର ଓଡିଶା ପାନୀୟ ନିଗମ ଡିପୋ ଶାଖାର ପରିଚାଳକ ଅବକାରୀ ବିଭାଗର ଉପଅଧୀକ୍ଷକ ଜୟଦୀପ ପଟ୍ଟନାୟକ ଓ ସୁନ୍ଦରଗଡରେ କାର୍ଯ୍ୟରତ ଅବକାରୀ ନୀରିକ୍ଷକ ରିୟାଜ ଅହମ୍ମଦ ବେଗ୍ । ଜୟଦୀପ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ସରକାରୀ ଶାଳୀନତା ଓ ସୌଜନ୍ୟର ବିରୁଦ୍ଧାଚରଣ କରୁଥିଲା । ଦାୟିତ୍ୱରେ ଅବହେଳେ ସହିତ ସରକାରୀ ସଂପତ୍ତିର କୁପରିଚାଳନା ଓ ଅଫିସ ସମୟରେ ମଦ୍ୟପାନ ଆଦି ଅଭିଯୋଗ ପଟ୍ଟନାୟକଙ୍କ ବିରୋଧରେ ଆସିଥିଲା । ରିୟାଜ ଅହମ୍ମଦ ବେଗ୍ ତାଙ୍କ ଚାକିରି କାଳ ମଧ୍ୟରେ ୫ ଥର ନିଲମ୍ବିତ ହୋଇସାରିଛନ୍ତି । ତାଙ୍କ ବିରୋଧରେ ଅପାରଗତା, ନିଷ୍ଠାହୀନତା ତଥା ଦାୟିତ୍ୱହୀନ ବ୍ୟବହାର ଅଭିଯୋଗରେ ୫ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରଶାସନରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଂଟି ।

CM Naveen PatnaikOdisha GovernmentZero Tolerance to Corruption