ଦୈନିକ ସଂକ୍ରମଣରେ ବିଶ୍ୱର ସବୁ ରେକର୍ଡ ଭାଙ୍ଗିଲା ଭାରତ, ଦିନକରେ ୩.୧୪ ଲକ୍ଷ ମାମଲା, ୨୧୦୪ ମୃତ | News Room Odisha

ଦୈନିକ ସଂକ୍ରମଣରେ ବିଶ୍ୱର ସବୁ ରେକର୍ଡ ଭାଙ୍ଗିଲା ଭାରତ, ଦିନକରେ ୩.୧୪ ଲକ୍ଷ ମାମଲା, ୨୧୦୪ ମୃତ

ନୂଆଦିଲ୍ଲୀ – କରୋନା ସଂକ୍ରମଣରେ ବିଶ୍ୱର ସବୁ ରେକର୍ଡ ଭାଙ୍ଗିଛି ଭାରତ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୧୪,୮୩୫ ନୂଆ ମାମଲା ଆସିଛି । ଯାହା କି ବିଶ୍ୱର ଯେକୌଣସି ଦେଶରେ ସର୍ବାଧିକ । ମୃତ୍ୟୁସଂଖ୍ୟାରେ ବି ରେକର୍ଡ ବୃଦ୍ଧି ଘଟିଛି । ଦିନକରେ ଆଉ ୨୧୦୪ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଉ ୧୭୮,୮୪୧ ଜଣ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ।

ଭାରତରେ କରୋନା ସଂକ୍ରମଣ ଏବେ ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇଯାଇଛି । ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ଗତକାଲି ଦେଶରେ ୨୯୫,୦୪୧ ରୋଗୀ ଚିହ୍ନଟ ହୋଇଥିଲେ । ଆଜି ପ୍ରଥମ ଥର ନୂଆ ମାମଲା ୩ ଲକ୍ଷ ଟପିଛି ।

ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫ରେ ପହଞ୍ଚିଛି । ଏଯାବତ୍ ଏହି ଘାତକ ରୋଗରୁ ୧ କୋଟି ୩୪ ଲକ୍ଷ ୫୪ ହଜାର ୮୮୦ ଲୋକ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୮୪ ହଜାର ୬୫୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ଏବେ ସକ୍ରିୟ ମାମଲା ବଢ଼ି ଚାଲିଛି । ଗୁରୁବାର ସୁଦ୍ଧା ଦେଶରେ ୨୨ ଲକ୍ଷ ୯୧ ହଜାର ୪୨୮ ସକ୍ରିୟ ରୋଗୀ ଅଛନ୍ତି ।