ପଞ୍ଚମ ଟି୨୦ରେ ଇଂଲଣ୍ଡକୁ ୩୬ ରନରେ ହରାଇଲା ଟିମ୍ ଇଣ୍ଡିଆ, ୩-୨ରେ ସିରିଜ୍ ଜିତିଲା ବିରାଟ ବାହିନୀ | News Room Odisha

ପଞ୍ଚମ ଟି୨୦ରେ ଇଂଲଣ୍ଡକୁ ୩୬ ରନରେ ହରାଇଲା ଟିମ୍ ଇଣ୍ଡିଆ, ୩-୨ରେ ସିରିଜ୍ ଜିତିଲା ବିରାଟ ବାହିନୀ

ଅହମ୍ମଦାବାଦ – ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ସୁପର ଶୋ’ ବଳରେ ଭାରତ ଶନିବାର ଅନୁଷ୍ଠିତ ସିରିଜ୍ ନିର୍ଣ୍ଣାୟକ ପଞ୍ଚମ ଟି୨୦ରେ ଇଂଲଣ୍ଡକୁ ୩୬ ରନରେ ହରାଇଛି । ଏହି ଚମତ୍କାର ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୩-୨ରେ ଜିତିଛି ।

ପୁଣି ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ କୋହଲି-ରୋହିତ ଏକ ଧମାକାଦାର ଷ୍ଟାର୍ଟ ଦେଇଥିଲେ । ଏହି ଦୁଇ ସୁପରଷ୍ଟାର ଇନିଂସ୍ ଓପନ କରିବାକୁ ଆସି ଚିତ୍ତାକର୍ଷକ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୨୪ ରନର ବିଶାଳ ସ୍କୋର କରିଥିଲା । ଇଂଲଣ୍ଡ ବିପକ୍ଷରେ ଭାରତର ଏହା ସର୍ବୋଚ୍ଚ ଟି୨୦ ସ୍କୋର ଥିଲା । ଏହି ବୃହତ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୧୮୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପ୍ରଥମ ଓଭରରେ ହିଁ ଜାସନ ରୟ (୦)ଙ୍କ ୱିକେଟ୍ ହରାଇଥିଲେ ମଧ୍ୟ ଜୋସ ବଟଲର (୫୨) ଓ ଡେବିଡ ମାଲାନ (୬୮) ଦ୍ୱିିତୀୟ ୱିକେଟରେ ୧୩୦ ରନ୍ ଭାଗିଦାରୀ ସହ ଇଂଲଣ୍ଡ ଆଶା ଉଜ୍ଜୀବିତ ରଖିଥିଲେ । ହେଲେ ୧୩ତମ ଓଭରରେ ବଟଲରଙ୍କୁ ଆଉଟ୍ କରି ଭୁବନେଶ୍ୱର ଏହି ଯୋଡି ଭାଙ୍ଗିବା ପରେ ଇଂଲଣ୍ଡ ଉପରେ ଚାପ ବଢି ଯାଇଥିଲା । ଦଳ ନିୟମିତ ୱକେଟ୍ ହରାଇଥିଲା । ଭାରତ ତରଫରୁ ଶାର୍ଦ୍ଦୁଲ ଠାକୁର ୩ଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି ୱିକେଟ୍ ହାସଲ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଟି.ନଟରାଜନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଇଂଲଣ୍ଡ ପୁଣିଥରେ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ତରଫରୁ ଆଜି ଅଧିନାୟକ କୋହଲି ଓ ଉପଅଧିନାୟକ ରୋହିତ ଇନିଂସ୍ ଓପନ କରି ଭାରତକୁ ଏକ ବିସ୍ଫୋରକ ଷ୍ଟାର୍ଟ ଦେଇଥଲେ । ଦୁହେଁ ପ୍ରଥମ ୯ ଓଭରରେ ୯୪ ରନ୍ ଯୋଡିଥିଲେ । ରୋହିତ ୩୪ ବଲରେ ୪ଟି ଚୌକା ଓ ୫ଟି ଛକା ସହ ୬୪ ରନ୍ କରିଥିବା ବେଳେ କୋହଲି ୫୨ ବଲରେ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୮୦ ରନ୍ କରି ଅପରାଜିତ ରହିଥିଲେ ।

ଗତ ମ୍ୟାଚରେ ଧୂଆଁଧାର ଅର୍ଦ୍ଧଶତକ ମାରିଥିବା ସୂର୍ଯ୍ୟକୁମାର ଯାଦବ ୱାନ ଡାଉନରେ ଆସି ପୁଣି ଏକ ଆଖି ଦୃଶିଆ ପାଳି ଖେଳିଥିଲେ । ସେ ୧୭ ବଲରେ ୩ଟି ଚୌକା ଓ ୨ଟି ଛକା ବଲରେ ୩୨ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୪ଟି ଚୌକା ଓ ୨ଟି ଛକା ବଳରେ ୩୯ ରନ୍ କରି ନଟ୍ ଆଉଟ୍ ରହିଥିଲେ ।