ପୋଲିଓ ବୁନ୍ଦା ବଦଳରେ ଦିଆଗଲା ହ୍ୟାଣ୍ଡ୍ ସାନିଟାଇଜର, ୧୨ ଶିଶୁ ଅସୁସ୍ଥ | News Room Odisha

ପୋଲିଓ ବୁନ୍ଦା ବଦଳରେ ଦିଆଗଲା ହ୍ୟାଣ୍ଡ୍ ସାନିଟାଇଜର, ୧୨ ଶିଶୁ ଅସୁସ୍ଥ

ମୁମ୍ବାଇ – ମହାରାଷ୍ଟ୍ରର ୟାଭାତମାଲ ଜିଲ୍ଲାରେ ପୋଲିଓ ଅଭିଯାନ ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିଓ ବୁନ୍ଦା ବଦଳରେ ଶିଶୁମାନଙ୍କୁ ଭୁଲ୍‌ରେ ହ୍ୟାଣ୍ଡ ସାନିଟାଇଜର ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ଏଭଳି ଅବହେଳା ଯୋଗୁଁ ୧୨ ଜଣ ଶିଶୁ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ଶିଶୁମାନଙ୍କ ବୟସ ୫ବର୍ଷରୁ କମ୍ ବୋଲି ସ୍ଥାନୀୟ ଜିଲ୍ଲା ସ୍ୱାସ୍ଥ୍ୟାଧିକାରୀ କହିଛନ୍ତି । ସେମାନଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ସେ କହିଛନ୍ତି । ଏଭଳି ଅବହେଳା ପାଇଁ ତିନି ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଜାନୁୟାରୀ ୩୧ରେ ୟାଭାତମାଲ ଜିଲ୍ଳା କାପସିକୋପ୍ରି ଗ୍ରାମ ଭାନବୋରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ୟାଭାତମାଲ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକ୍ରିଷ୍ଣା ପାଞ୍ଚଲ କହିଛନ୍ତି ଯେ, ପୋଲିଓ ବୁନ୍ଦା ବଦଳରେ ପିଲାମାନଙ୍କୁ ଦୁଇ ବୁନ୍ଦା ହ୍ୟାଣ୍ଡସାନିଟାଇଜର ଦିଆଯାଇଥିଲା । ଏହାପରେ ଜଣେ ଶିଶୁ ବାନ୍ତି କରିବା ସହ ଅସୁସ୍ଥ ହୋଇପଡିଥିଲା । ଯେଉଁ ଶିଶୁମାନଙ୍କୁ ହ୍ୟାଣ୍ଡସାନିଟାଇଜର ଦିଆଯାଇଥିଲା, ସେମାନଙ୍କୁ ପରେ ପୋଲିଓ ବୁନ୍ଦା ଦିଆଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।