ବାପାଙ୍କୁ କୋଭିଡ୍‌ରେ ହରାଇବା ଦୁଃଖରେ ଜଳନ୍ତା ଜୁଇକୁ ଡେଇଁପଡ଼ିଲେ ଝିଅ | News Room Odisha

ବାପାଙ୍କୁ କୋଭିଡ୍‌ରେ ହରାଇବା ଦୁଃଖରେ ଜଳନ୍ତା ଜୁଇକୁ ଡେଇଁପଡ଼ିଲେ ଝିଅ

ଜୟପୁର: କୋଭିଡ୍‌-୧୯ରେ ବାପାଙ୍କ ମୃତ୍ୟୁକୁ ସହ୍ୟ କରିନପାରି ଜଣେ ୩୪ ବର୍ଷୀୟ ମହିଳା ମୃତ ବାପାଙ୍କ ଜୁଇକୁ ଡେଇଁ ପଡ଼ିଛନ୍ତି । ଏଭଳି ଛାତିଥରା ଘଟଣା ରାଜସ୍ଥାନର ବାର୍ମର ସ୍ଥିତ ରାୟ କଲୋନୀରେ ଘଟିଛି ।

କରୋନାରେ ୭୩ ବର୍ଷୀୟ ଦାମୋଦର ଶାରଦାଙ୍କ ମୃତ୍ୟୁ ହୋଇଥିଲା । ସନ୍ଧ୍ୟାରେ ବାପାଙ୍କ ଅନ୍ତିମ ସଂସ୍କାର ହେଉଥିବା ଶ୍ମଶାନକୁ ଯିବା ପାଇଁ ଦାମୋଦାରଙ୍କ ଝିଅ ଚନ୍ଦ୍ରକଳା ଅଡ଼ି ବସିଥିଲେ । ଅନିଚ୍ଛା ସତ୍ତ୍ୱେ ପରିବାର ଲୋକ ଚନ୍ଦ୍ରକଳାଙ୍କୁ ଶ୍ମଶାନକୁ ଯିବାକୁ ଅନୁମତି ଦେଇଥିଲେ । ପ୍ରାୟ ଅପରାହ୍ନ ୪ଟା ବେଳେ ମୃତ ଦାମୋଦରଙ୍କ ଶବଦାହ ଆରମ୍ଭ ହୋଇଥିଲା । ଠିକ୍ ଏତିକି ବେଳେ ଝିଅ ଚନ୍ଦ୍ରକଳା ତାଙ୍କ ବାପାଙ୍କ ଜୁଇ ଉପରକୁ ଡେଇଁ ପଡିଥିଲେ । ପ୍ରଥମେ ତାଙ୍କ ଭଉଣୀ ପିଙ୍କି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ପାଖରେ ଥିବା ସମ୍ପର୍କୀୟ ମାନେ ଚନ୍ଦ୍ରକଳାଙ୍କୁ ଜଳନ୍ତା ଜୁଇରୁ ବାହାର କରିବାରେ ସଫଳ ହୋଇଥିଲେ । ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯୋଧପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବାର୍ମରର ଏସ୍‌ଏସ୍‌ଓ ପ୍ରେମ୍ ପ୍ରକାଶ କହିଛନ୍ତି ।