ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ | News Room Odisha

ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ

ଭୁବନେଶ୍ୱର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରା କୁ ବିଶ୍ବବ୍ୟାପୀ କରିଥିଲେ ।

ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ।ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ପୁରୀ ଶ୍ରୀ ମନ୍ଦିର ମରାମତି ରେ ସେ ମଧ୍ୟ ସହଯୋଗ କରିଥିଲେ । ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି । ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା ।
ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ସ୍ବର୍ଗତ ରଘନାଥ ମହାପାତ୍ର ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।