ବେଙ୍ଗଲ ନିର୍ବାଚନ: ପ୍ରାର୍ଥୀ ତାଲିକା ଘୋଷଣା କଲା ତୃଣମୂଳ କଂଗ୍ରେସ, ନନ୍ଦିଗ୍ରାମରୁ ଲଢ଼ିବେ ମମତା | News Room Odisha

ବେଙ୍ଗଲ ନିର୍ବାଚନ: ପ୍ରାର୍ଥୀ ତାଲିକା ଘୋଷଣା କଲା ତୃଣମୂଳ କଂଗ୍ରେସ, ନନ୍ଦିଗ୍ରାମରୁ ଲଢ଼ିବେ ମମତା

କୋଲକାତା – ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକା ଜାରି କରିଛନ୍ତି । ୨୯୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦାର୍ଜିଲିଂ ଅଞ୍ଚଳରେ ଆସୁଥିବା ଅବଶିଷ୍ଟ ତିନି ଆସନକୁ ଦଳ ନିଜର ସହଯୋଗୀ ଗୋର୍ଖା ଜନମୁକ୍ତି ମୋର୍ଚ୍ଚାର ବିମଳ ଗୁରୁଙ୍ଗ ଗୋଷ୍ଠୀ ପାଇଁ ଛାଡ଼ି ଦେଇଛି । ମମତା କହିଛନ୍ତି ଯେ, ସେ ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବେ । ମମତା ଗତ ଦୁଇ ନିର୍ବାଚନରେ କୋଲକାତାର ଭବାନୀପୁର ଆସନରୁ ନିର୍ବାଚିତ ହୋଇଥିଲେ । ଏଥର କିନ୍ତୁ ସେ ନନ୍ଦିଗ୍ରାମ ଆସନରୁ ଲଢ଼ିବାକୁ ନିଷ୍ପତ୍‌ି ନେଇଛନ୍ତି ।

ଟିଏମ୍‌ସିର ୨୯୧ ଜଣିଆ ପ୍ରାର୍ଥୀ ତାଲିକାରେ ଫିଲ୍ମଷ୍ଟାରଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ୍‌, ମହିଳା, ଯୁବନେତା ଓ ଅବସରପ୍ରାପ୍ତ ପ୍ରଶାସକ ଅଛନ୍ତି । ଏହି ତାଲିକାରେ ୫୧ ଜଣ ମହିଳା ରହିଥିବା ବେଳେ ୭୯ ଏସ୍‌ସି ଏବଂ ୧୭ ଏସ୍‌ଟି ପ୍ରାର୍ଥୀ ଅଛନ୍ତି ।

ମମତା କହିଛନ୍ତି ଯେ, ଏଥର ନିର୍ବାଚନରେ ଦଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପ୍ରାର୍ଥୀଙ୍କୁ ଛିଡ଼ା ନ କରିବାକୁ ନିଷ୍ପତ୍ତି ନେଇଛି । ଏଥର ନିର୍ବାଚନ ଲଢ଼ୁନଥିବା ବୟସ୍କ ନେତାମାନଙ୍କୁ ଥଇଥାନ କରିବାକୁ ରାଜ୍ୟରେ ଶୀଘ୍ର ବିଧାନ ପରିଷଦ ପ୍ରତିଷ୍ଠା କରାଯିବ ବୋଲି ମମତା କହିଛନ୍ତି । ଅର୍ଥମନ୍ତ୍ରୀ ଅମିତ ମିତ୍ରା ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପୂର୍ଣ୍ଣେନ୍ଦୁ ବୋଷ ଏଥର ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ।

West Bengal Election