ବ୍ରହ୍ମପୁର ବଡବଜାର ସୁନା ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାସ, ଦୁଇ ଅପରାଧୀ ଛତିଶଗଡରୁ ଗିରଫ | News Room Odisha

ବ୍ରହ୍ମପୁର ବଡବଜାର ସୁନା ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାସ, ଦୁଇ ଅପରାଧୀ ଛତିଶଗଡରୁ ଗିରଫ

ବ୍ରହ୍ମପୁର- ବ୍ରହ୍ମପୁରର ବ୍ୟବସାୟିକ ପେଣ୍ଠସ୍ଥଳୀ ବଡବଜାରର ଦୁଇଟି ସୁନା ଦୋକାନରୁ ଚୋରି ଘଟଣାରେ ସଂପୃକ୍ତ ଦୁଇ ଅପରାଧୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଲୋକେଶ ଶ୍ରୀବତ୍ସ ଓ ଲୋକେଶ ରାଓ । ଏମାନେ ଛତିଶଗଡର ବାସିନ୍ଦା । ବ୍ରହ୍ମପୁର ଏସପି ପିନାକ ମିଶ୍ର ଏହି ସୂୂଚନା ଦିଆଯାଇଛି । ଦୁଇ ଅପରାଧୀଙ୍କ ଚିହ୍ନଟ ହେଲା ପରେ ଛତିଶଗଡକୁ ବଡବାଜାର ଆଇଆଇସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଛତିଶଗଡର କବୀରଧାମ ଜିଲ୍ଲାକୁ ପଠାଯାଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଅପରାଧୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୨ ଲକ୍ଷ ୭ ହଜାର ୬୦ ନଗଦ ଟଙ୍କା ( ଚୋରି ଅଳଙ୍କାର ବିକ୍ରିରୁ ପାଇଥିବା ଟଙ୍କା ) ଓ ୧୬୮ ଦଶମିକ ୬ ଗ୍ରାମର ସୁନା ଅଳଙ୍କାର ଉଦ୍ଧାର କରାଯାଇଛି । ଏହାଛଡା ଏକ ପୋର୍ଟବଲ୍ ଗ୍ରିଲ କଟର ମେସିନ ବି ଅଭିଯୁକ୍ତଙ୍କଠାରୁ ଉଦ୍ଧାର କରାଯାଇଛି । ଦୁଇ ଅପରାଧୀଙ୍କ ବହୁ ଅପରାଧ ମାମଲାରେ ସଂପୃକ୍ତି ରହିଛି । ଉଭୟଙ୍କ ଦେଖାସାକ୍ଷାତ ୨୦୨୦ ମସିହାରେ ଦୁର୍ଗ ଜେଲରେ ହୋଇଥିଲା । ଲୋକେଶ ରାଓର ସଂପର୍କୀୟ ବ୍ରହ୍ମପୁରରେ ରହୁଥିବାରୁ ସହର ସହିତ ତାର ସଂପର୍କ ଥିଲା । ଦୁଇ ଜଣ ସୁନା ଦୋକାନରୁ ଚୋରି ପାଇଁ ଷଡଯନ୍ତ୍ର କରିଥିଲେ । ଛତିଶଗଡରୁ ଗିରଫ କରାଗଲା ପରେ ଦୁଇ ଅଭିଯୁକ୍ତଙ୍କୁ ଗତ୨୪ ତାରିଖରେ କବୀରଧାମ ଜିଲ୍ଲା କୱର୍ଧାକ ସିଜେଏମ କୋର୍ଟରେ ହାଜର କରାଯାଇଥିଲା । ପରେ ସେମାନଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇ ବ୍ରହ୍ମପୁରର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯିବ । ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଗୋଟିଏ ପୋଲିସ ଟିମ୍ ଏବେ ବି ଛତିଶଗଡରେ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ବଡବଜାର ସ୍ଥିତ ବିନୋଦ ଗହଣା ଦୋକାନରୁ ଅକ୍ଟୋବର ୩୦ ଓ କେଶବ ଗହଣା ଦୋକାନରୁ ଏହି ମାସ ୧୭ ତାରିଖରେ ଚୋରି ହୋଇଥିଲା । ପୋଲିସ ତନାଘନା ପରେ ଅପରାଧୀ ଛତିଶଗଡର ବୋଲି ଜଣାପଡିଥିଲା ।