ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଲା ଇଟାଲୀ | News Room Odisha

ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଲା ଇଟାଲୀ

ନୂଆଦିଲ୍ଲୀ: ଭାରତରେ ଭୟାନକ କରୋନା ସ୍ଥିତି ଦୃଷ୍ଟିରୁ ଇଟାଲୀ ମଧ୍ୟ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଛି। ଏନେଇ ଇଟାଲୀର ସ୍ୱାସ୍ଥ୍ୟମନ୍ତ୍ରୀ ରୋବର୍ଟୋ ସ୍ପେରେଞ୍ଜା ଟ୍ୱିଟ୍ କରି କହିଛନ୍ତି ଯେ ଗତ ୧୪ ଦିନ ଧରି ଭାରତରେ ଥିବା ସବୁ ବାହାର ଲୋକଙ୍କୁ ଇଟାଲୀରେ ପ୍ରବେଶ କରିବାକୁ ବାରଣ କରାଯାଇଛି।

ଭାରତରେ କୋଭିଡ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ଏବଂ ଦେଶ କରୋନାର ଡବଲ ଓ ଟ୍ରିପଲ୍ ମ୍ୟୁଟାଣ୍ଟ ବିରୋଧରେ ଲଗାତାର ଲଢେଇ ଜାରି ରଖିଛି । ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ନୂଆ ରେକର୍ଡ କରୁଛି | ଇଟାଲୀ ଏହାର ନାଗରିକମାନଙ୍କୁ ଭାରତରୁ ଫେରିବାକୁ ଅନୁମତି ଦେଇଛି, କିନ୍ତୁ ଭାରତ ଛାଡିବା ସମୟରେ ସେମାନଙ୍କ ପାଖରେ କୋଭିଡ୍ ନେଗେଟିଭ ରିପୋର୍ଟ ଥିବା ଆବଶ୍ୟକ । ଏହା ସହିତ ଆଗମନ ସମୟରେ ମଧ୍ୟ ସେମାନଙ୍କ କୋଭିଡ୍ ଟେଷ୍ଟ କରାଯିବ ଏବଂ ସେମାାନଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

ଏହାପୂର୍ବରୁ ବ୍ରିଟେନ, ଫ୍ରାନ୍ସ, ୟୁଏଇ ଭଳି ଅନେକ ଦେଶ ମଧ୍ୟ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଛନ୍ତି।