ଭାରତ ବାୟୋଟେକ୍‌ର ସମ୍ମତି ପତ୍ରରେ ସ୍ୱାକ୍ଷର କରିବାକୁ ଅମଙ୍ଗ ହେଉଛନ୍ତି ‘କୋଭାକ୍ସିନ’ ଟିକା ହିତାଧିକାରୀ | News Room Odisha

ଭାରତ ବାୟୋଟେକ୍‌ର ସମ୍ମତି ପତ୍ରରେ ସ୍ୱାକ୍ଷର କରିବାକୁ ଅମଙ୍ଗ ହେଉଛନ୍ତି ‘କୋଭାକ୍ସିନ’ ଟିକା ହିତାଧିକାରୀ

ନୂଆଦିଲ୍ଲୀ – ଭାରତ ବାୟୋଟେକର ‘କୋଭାକ୍ସିନ’ ଟିକା ନେଉଥିବା ହିତାଧିକାରୀମାନେ ଏହି କମ୍ପାନୀର ସମ୍ମତି ପତ୍ରରେ ସ୍ୱାକ୍ଷର କରିବାକୁ ଚାହୁଁନାହାନ୍ତି । ଜାନୁୟାରୀ ୧୬ରେ ଟିକାକରଣ ଅଭିଯାନର ପ୍ରଥମ ଦିନରେ ବିହାର, ତାମିଲନାଡୁ ଓ ତେଲେଙ୍ଗାନାରେ କିଛି ଲୋକଙ୍କୁ ‘କୋଭାକ୍ସିନ’ ଟିକା ଦିଆଯାଇଥିଲା । ହେଲେ ଅଧିକାଂଶ ଲୋକ ବୟୋଟେକର ସମ୍ମତିପତ୍ରରେ ସ୍ୱାକ୍ଷର କରିବାକୁ ମନା କରିଥିଲେ । ଫଳରେ ଟିକାକରଣର ପ୍ରଥମ ଦିନରେ ଏହି ତିନି ରାଜ୍ୟରେ ମାତ୍ର ୫୦% ଲକ୍ଷ୍ୟ ପୂରଣ ହୋଇଥିଲା । ପ୍ରଥମ ଦିନର ଟିକାକରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ କରିଥିବା ସମୀକ୍ଷା ବୈଠକରେ ଉକ୍ତ ତିନି ରାଜ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ଟିକାକରଣର ପ୍ରଥମ ଦିନରେ ତାମିଲନାଡୁରେ ‘କୋଭାକ୍ସିନ’ର ୬୦୦ ଡୋଜ୍ ଲଗାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏଥିମଧ୍ୟରୁ କେବଳ ୯୯ ଡୋଜ୍ ହିଁ ଦିଆଯାଇଥିଲା । ତା’ପରଦିନ ଏହି ଟିକାର ଆଉ ୯୦ ଡୋଜ୍ ହିତାଧିକାରୀଙ୍କୁ ଦିଆଯାଇଥିଲା ।

‘କୋଭାକ୍ସିନ’ ଟିକାର ବ୍ୟବହାର ଅନ୍ୟ ୧୧ ରାଜ୍ୟରେ ମଧ୍ୟ ହେଉଛି । ଏହି ରାଜ୍ୟଗୁଡିକରେ ଏଥିପାଇଁ ୬ଟି ସରକାରୀ ହସ୍ପିଟାଲକୁ ଉତ୍ସର୍ଗୀକୃତ ଟିକାକରଣ କେନ୍ଦ୍ର କରାଯାଇଛି । ‘କୋଭାକ୍ସିନ’ ଡୋଜ୍ ନେଇଥିବା ହିତାଧିକାରୀ ମାନଙ୍କ ଠାରୁ ଏଯାବତ୍ କୌଣସି ପାଶ୍ୱର୍ପ୍ରତିକ୍ରିୟା ଜନିତ ଅଭିଯୋଗ ମିଳିନାହିଁ ।

ଉଲ୍ଲେଖଯୋଗ୍ୟ, କୋଭାକ୍ସିନ ଟିକାର ପ୍ରଭାବ ଓ ସୁରକ୍ଷା ନେଇ ଅନେକ ରାଜନେତା ପ୍ରଶ୍ନ ଉଠାଇଛନ୍ତି । ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଚାଲିଥିବା ସତ୍ତ୍ୱେ ଏହାକୁ କିପରି ଅନୁମତି ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆଇସିଏମ୍‌ଆର)ର ସହଯୋଗରେ ଭାରତ ବୟୋଟେକ୍ ‘କୋଭାକ୍ସିନ’ ଟିକା ପ୍ରସ୍ତୁତ କରିଛି । ଟ୍ରାଏଲ୍ ଚାଲିଥିବାରୁ ଏହି ଟିକାର ସୀମିତ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ତେଣୁ ଭାରତ ବାୟୋଟେକ୍ ଏହି ଟିକା ଦେବା ପୂର୍ବରୁ ହିତାଧିକାରୀଙ୍କୁ ସମ୍ମତିପତ୍ରରେ ସ୍ୱାକ୍ଷର କରିବାକୁ କହୁଛି । ଯଦି ଟିକା ନେବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ, ତେବେ ଭାରତ ବାୟୋଟେକ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ସହ ତାଙ୍କର ସବୁ ଚିକିତ୍ସା ଖର୍ଚ୍ଚ ବହନ କରିବ ।

Bharat Biotech's CovaxinCOVID-19 Vaccine