ରାଜନାଥ ସିଂଙ୍କୁ ଭେଟିଲେ ଆମେରିକୀୟ ପ୍ରତିରକ୍ଷା ସଚିବ ଅଷ୍ଟିନ, ସାମରିକ ସହଯୋଗ ବୃଦ୍ଧି ନେଇ ଆଲୋଚନା | News Room Odisha

ରାଜନାଥ ସିଂଙ୍କୁ ଭେଟିଲେ ଆମେରିକୀୟ ପ୍ରତିରକ୍ଷା ସଚିବ ଅଷ୍ଟିନ, ସାମରିକ ସହଯୋଗ ବୃଦ୍ଧି ନେଇ ଆଲୋଚନା

ନୂଆଦିଲ୍ଲୀ – ଭାରତ ଆସିଥିବା ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଜେମ୍ସ ଅଷ୍ଟିନ ଆଜି ବିଜ୍ଞାନ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିଛନ୍ତି। ଭାରତୀୟ ସେନା ଏବଂ ଆମେରିକାର ଇଣ୍ଡୋ-ପାସିଫିକ କମାଣ୍ଡ, ସେଣ୍ଟ୍ରାଲ୍ କମାଣ୍ଡ ଏବଂ ଆଫ୍ରିକା କମାଣ୍ଡ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି।

ଲଏଡ ଅଷ୍ଟିନଙ୍କୁ ଭେଟିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭାରତୀୟ ସେନା ଏବଂ ଆମେରିକାର ଇଣ୍ଡୋ-ପାସିଫିକ କମାଣ୍ଡ, ସେଣ୍ଟ୍ରାଲ କମାଣ୍ଡ, ଆଫ୍ରିକା କମାଣ୍ଡ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ଆମେ ରାଜି ହୋଇଛୁ। ଆମେରିକା ସହିତ ପ୍ରତିରକ୍ଷା ସହଭାଗିତାକୁ ଆହୁରି ମଜବୁତ କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ଅନ୍ୟପକ୍ଷେ ଲଏଡ ଜେମ୍ସ ଅଷ୍ଟିନ କହିଛନ୍ତି, ‘ଆମର ସମ୍ପର୍କ ମୁକ୍ତ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଏକ ଗଡ଼ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିଛନ୍ତି ଯେ ଭାରତ ସର୍ବଦା ଫ୍ରିଡମ୍ ଅଫ୍ ନେଭିଗେସନ୍ ଏବଂ ଫ୍ରିଡମ୍ ଅଫ୍ ଓଭରଫ୍ଲାଇଟକୁ ସମର୍ଥନ କରି ଆସିଛି। ଏହା ଆଞ୍ଚଳିକ ସୁରକ୍ଷା ପ୍ରତି ଆମର ସାଧାରଣ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି |
ଅଷ୍ଟିନ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ। ଅଷ୍ଟିନ ଟ୍ୱିଟ୍ କରି କହିଥିଲେ ‘ମୁଁ ଭାରତରେ ଥିବାରୁ ବହୁତ ଖୁସି। ଦୁଇ ଦେଶ ମଧ୍ୟରେ ସହଯୋଗର ଗଭୀରତା ଆମର ବ୍ୟାପକ ପ୍ରତିରକ୍ଷା ସହଭାଗୀତାର ଗୁରୁତ୍ୱକୁ ପ୍ରତିଫଳିତ କରେ ଏବଂ ଆମେ ଇଣ୍ଡୋ-ପାସିଫିକ ଅଞ୍ଚଳରେ ସମ୍ମୁଖୀନ ହେଉଥିବା ଆହ୍ବାନ ଉପରେ ମିଳିତ ଭାବରେ କାର୍ଯ୍ୟ କରୁଛୁ |