ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଲେ ଟିକା | News Room Odisha

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଲେ ଟିକା

ନୂଆଦିଲ୍ଲୀ – ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର କରୋନା ଟିକା ନେଇଛନ୍ତି । ଦିଲ୍ଲୀର ଆର୍‌ଆର୍ ହସ୍ପିଟାଲରେ ରାଷ୍ଟ୍ରପତି ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯେଉଁମାନେ ଯୋଗ୍ୟ ସେମାନେ ସବୁ ଟିକା ନିଅନ୍ତୁ ବୋଲି ରାଷ୍ଟ୍ରପତି ଅପିଲ କରିଛନ୍ତି ।

ରାଷ୍ଟ୍ରପତି ଭବନର ଟ୍ୱିଟ୍ ଅନୁସାରେ ଝିଅ ସହ ରାଷ୍ଟ୍ରପତି ଆରଆର ହସ୍ପିଟାଲ୍‌ରେ ପହଞ୍ଚି ଟିକା ନେଇଥିଲେ । କରୋନା ବିରୋଧରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନରେ ସାମିଲ ଥିବା ସବୁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏବଂ ପ୍ରଶାସକଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି ।

ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ବିଭିନ୍ନ ଜଟିଳ ରୋଗରେ ପୀଡିତ ୪୫-୬୦ ବର୍ଷ ବୟସ ବର୍ଗର ଲୋକଙ୍କୁ ଟିକା ଲଗାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ନେତା ଏହି ପର୍ଯ୍ୟାୟରେ ଟିକା ନେଇଛନ୍ତି ।