ଶନିବାର ଠାରୁ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ, ପାଣ୍ଡ୍ୟା ଓ ଅକ୍ଷରଙ୍କୁ ମିଳିପାରେ ସୁଯୋଗ | News Room Odisha

ଶନିବାର ଠାରୁ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ, ପାଣ୍ଡ୍ୟା ଓ ଅକ୍ଷରଙ୍କୁ ମିଳିପାରେ ସୁଯୋଗ

ଚେନ୍ନାଇ – ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାର ଠାରୁ ଆରମ୍ଭ ହେଉଛି । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ବିରାଟ ବାହିନୀ ନିଜ ତ୍ରୁଟି ସୁଧାରି ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି । ଫର୍ମରେ ଥିବା ଇଂଲଣ୍ଡକୁ ହରାଇବାକୁ ହେଲେ ଭାରତକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ନଚେତ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ପାଇବା କଷ୍ଟକର ହୋଇପଡିବ । ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ ଆରମ୍ଭରୁ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଥିବା ବେଳେ ଭାରତୀୟ ପ୍ଲେଇଂ ଇଲେଭେନରେ ସାମାନ୍ୟ ପରିବର୍ତ୍ତନ କରାଯିବା ସମ୍ଭାବନା ରହିଛି । ଏହି ଟେଷ୍ଟରୁ ଦର୍ଶକ ମଧ୍ୟ ଷ୍ଟାଡିୟମକୁ ଆସିବାକୁ ଥିବା ବେଳେ ଭାରତକୁ ଘରୋଇ ସମର୍ଥନର ମଧ୍ୟ ଫାଇଦା ମିଳିବ । କେନ୍ଦ୍ର ଗାଇଡଲାଇନ୍ ଅନୁସାରେ ୫୦% ଦର୍ଶକଙ୍କୁ ଷ୍ଟାଡିୟମକୁ ଏଣ୍ଟ୍ରି ଦିଆଯିବ ।

ପ୍ରଥମ ଟେଷ୍ଟରେ ୨୨୭ ରନର ବୃହତ ପରାଜୟ ପରେ ଭାରତୀୟ ଦଳର ଅଷ୍ଟ୍ରେଲୀୟ ହନିମୁନ ଶେଷ ହୋଇଯାଇଥିଲା । ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ଉକ୍ତ ପରାଜୟ ଟିମ୍ ଇଣ୍ଡିଆ ପାଇଁ ଆଶୀର୍ବାଦ ବି ସାବ୍ୟସ୍ତ ହୋଇପାରେ । ଅଷ୍ଟ୍ରେଲିଆରେ ଅବିଶ୍ୱସନୀୟ ସଫଳତା ପରେ ଭାରତୀୟ ଦଳ ଆତ୍ମସନ୍ତୋଷରେ ଭଳି ଯାଇଥିଲା, ଯାହା ଦଳକୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମହଙ୍ଗା ପଡିଥିଲା । କିନ୍ତୁ ଉକ୍ତ ଝଟକା ବାକି ତିନୋଟି ଟେଷ୍ଟ ପୂର୍ବରୁ ଦଳର ଆଖି ଖୋଲି ଦେଇଛି । ଅଧିନାୟକ କୋହଲି ଆଣ୍ଡ କୋ’ଙ୍କ ପାଇଁ ନିଜ ଦକ୍ଷତା ଓ ଶ୍ରେଷ୍ଠତ୍ୱ ଜାହିର କରି ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ସୁଯୋଗ ରହିଛି ।

ଚାପରେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଥିବା ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ସିରିଜକୁ କମବ୍ୟାକ୍ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ମ୍ୟାଚରେ ଦର୍ଶକ ମଇଦାନକୁ ଫେରିବେ ଏବଂ ଏହା ଭାରତ ପାଇଁ ଟନିକ୍ ସାବ୍ୟସ୍ତ ହୋଇପାରେ। ଭାରତକୁ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବାକୁ ହେଲେ ଅତିକମରେ ଦୁଇଟି ଟେଷ୍ଟ ଜିତିବାକୁ ପଡ଼ିବ।

ଭାରତ: ବିରାଟ୍ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ରୋହିତ୍ ଶର୍ମା, ଶୁବମନ୍ ଗିଲ୍, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ୍, ଲୋକେଶ ରାହୁଲ୍, ଋଦ୍ଧିମାନ ସାହା, ଶାର୍ଦ୍ଦୁଲ ଠାକୁର।

ଇଂଲଣ୍ଡ: ଜୋ ରୁଟ୍ (ଅଧିନାୟକ), ରୋରୀ ବର୍ନସ୍, ଡମ୍ ସିବଲେ, ଡାନିଏଲ୍ ଲରେନ୍ସ, ବେନ୍ ଷ୍ଟୋକ୍ସ, ଓଲି ପୋପ୍, ମୋଇନ୍ ଅଲୀ, ଜ୍ୟାକ୍ ଲିଚ୍, ଷ୍ଟୁଆର୍ଟ ବ୍ରଡ୍, କ୍ରିସ୍ ଓକ୍ସ, ବେନ୍ ଫୋକ୍ସ ଓ ଓଲି ଷ୍ଟୋନ୍।