ସତ ବିଜ୍ଞାପନ, ମିଛ ହିତାଧିକାରୀ ! କେବଳ ବିଜ୍ଞାପନରେ ସୀମିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା | News Room Odisha

ସତ ବିଜ୍ଞାପନ, ମିଛ ହିତାଧିକାରୀ ! କେବଳ ବିଜ୍ଞାପନରେ ସୀମିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା

କୋଲକାତା – କୋଲକାତା ଓ ଅନ୍ୟ ସ୍ଥାନରୁ ପ୍ରକାଶିତ ହେଉଥିବା କିଛି ଖବରକାଗଜରେ ଗତମାସ ୧୪ ଓ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ବିଜ୍ଞାପନ ଛପାଯାଇଥିଲା । ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫଟୋ ସହ ଜଣେ ମହିଳାଙ୍କ ଫଟୋ ଛପିଥିଲା । ‘ଆତ୍ମନିର୍ଭର ଭାରତ, ଆତ୍ମନିର୍ଭର ବଙ୍ଗଳା’ ସ୍ଲୋଗାନ ଥିବା ଏହି ବିଜ୍ଞାପନରେ ଲେଖାଥିଲା , ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋତେ ଘର ମିଳିଲା । ମୁଣ୍ଡ ଉପରେ ଛାତେଯାଗୁଁ ପ୍ରାୟ ୨୪ ଲକ୍ଷ ପରିବାର ଆତ୍ମନିର୍ଭର ହୋଇଛନ୍ତି । ଆସନ୍ତୁ ଏକ ଆତ୍ମନିର୍ଭର ଭାରତର ସ୍ୱପ୍ନ ସତ କରିବା ।’
ପ୍ରଭାତ ଖବର, ସନମାର୍ଗ ଭଳି ଅନ୍ୟ ଖବରକାଗଜର ପ୍ରଥମ ପୃଷ୍ଠାରେ ହିଁ ଛପିଥିଲା ଏହି ବିଜ୍ଞାପନ । ବିଜ୍ଞାପନରେ ଯେଉଁ ମହିଳାଜଣଙ୍କର ଫଟୋ ଥିଲା,ତାଙ୍କ ନାମ ହେଉଛି ଲକ୍ଷମୀ ଦେବୀ । ବିଜ୍ଞାପନ ଛପିଲା ପରେ ହିଁ ଲକ୍ଷମୀ ଦେବୀ ଏ ସଂପର୍କରେ ଜାଣିପାରିଲେ । ଖବରକାଗଜରେ ନିଜର ଫଟୋ ଦେଖି ୪୮ ବର୍ଷିୟା ଲକ୍ଷ୍‌ମୀ ଦେବୀ ଚିନ୍ତିତ ହୋଇପଡିଲେ । ତାଙ୍କ ଫଟୋ କେମିତି ବିଜ୍ଞାପନରେ ସାମିଲ କରାଗଲା, ସେ ବିଷୟରେ ଲକ୍ଷମୀ ଦେବୀ ଅନ୍ଧାରରେ ଥିଲେ । ଖବରକାଗଜ ଲୋକେ ହିଁ ତାଙ୍କର ଫଟୋ ଛାପିଛନ୍ତି ବୋଲି ତାଙ୍କର ଧାରଣା ସୃଷ୍ଟି ହୋଇଥିଲା । କିନ୍ତୁ ବିଜ୍ଞାପନ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିଲା ।

ଅସଲ କଥା ହେଲା, ଲକ୍ଷମୀ ଦେବୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଘର ମିଳିନାହିଁ । ତାଙ୍କର ନିଜର କୌଣସି ଘର ନାହିଁ । ନିଜର ୫ ସଦସ୍ୟ ପରିବାର ସହ ସେ ୫୦୦ ଟଙ୍କାର ଏକ ଭଡା ଝୋପଡ ପଟ୍ଟିରେ ରହନ୍ତି । ଲକ୍ଷମୀ ଦେବୀ ବିହାରର ବାସିନ୍ଦା । ପିଲାଦିନରୁ ସେ ନିଜ ପରିଜନଙ୍କ ସବ କୋଲକାତା ଚାଲିଆସିଥିଲେ । କୋଲାକାତାର ବହୁବଜାର ଥାନାର ମଲାଗା ଲାଇନ ଅଂଚଳରେ ୫୦୦ ଟଙ୍କା ଭଡାରେ କୁଡିଆରେ ସପରିବାର ରହୁଛନ୍ତି ଲକ୍ଷମୀ ଦେବୀ । ୨୦୦୯ରେ ତାଙ୍କ ସ୍ୱାମୀ ଚନ୍ଦ୍ରଦେବ ପ୍ରସାଦଙ୍କ ମୃତ୍ୟୁ ହୋଇଯାଇଥିଲା ।
ତାଙ୍କ ପୈତୃକ ଗାଁରେ କି ବଙ୍ଗଳାରେ ତାଙ୍କର କୌଣସି ଜମିବାଡି ନାହିଁ । ପତିଙ୍କ ମୃତ୍ୟୁ ପରେସେ ପରିବାର ଚଳାଉଛନ୍ତି । ତାଙ୍କର ତିନିଟି ପୁଅ ଓ ତିନିଟି ଝିଅ । ସମସ୍ତଙ୍କର ବିବାହ ହୋଇସାରିଛି ।ଦୁଇ ପୁଅ ତାଙ୍କ ସହ ରହନ୍ତି ।
ପଶ୍ଚିମବଙ୍ଗ ବସ୍ ସେବାରେ ତାଙ୍କ ପତି କାମ କରୁଥିଲେ । ତାଙ୍କର ମୃତ୍ୟୁ ପରେ ସେ ଦୌଡାଦୌଡି କରିଥିଲେ ମଧ୍ୟ ତାଙ୍କୁ କାମ ମିଳି ନ ଥିଲା । ପରେ ଏକ ପାର୍କରେ ସେ ଝାଡୁ ମାରିବା କାମରେ ନିୟୋଜିତ ହୋଇଥିଲେ । ଏଥିପାଇଁ ତାଙ୍କୁ ମାସିକ ୫ ଶହ ଟଙ୍କା ମିଳୁଥିଲା । ଏବେ ସେ କାମ ଛାଡିଦେଇଛନ୍ତି ଲକ୍ଷମୀ ଦେବୀ ।

ତେବେ ତାଙ୍କ ଫଟୋ କେମିତି ଛପାଗଲା, ସେ ନେଇ ସେ ଅଜ୍ଞ । ଏଥିପାଇଁ ସେ ଚିନ୍ତାରେ ବି ଅଛନ୍ତି ।ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ଫଟୋ ବିଜ୍ଞାପନରେ ଛପିଛି । ସେ କହନ୍ତି ଯେ, ତାଙ୍କ ପାଖପଡୋଶୀର ଲୋକମାନେ ଖବରକାଗଜ ବିଜ୍ଞାପନରେ ଫଟୋ ଛପିଥିବା ତାଙ୍କୁ ଦେଖାଇଥିଲେ । କିନ୍ତୁ ଏ ବାବଦରେ ସେ କିଛି ଜାଣନ୍ତି ନାହିଁ । ଲକ୍ଷମୀ ଦେବୀ ଅନୁମାନ କରନ୍ତି ଯେ, ବାବୁଘାଟ ଗଙ୍ଗାସାଗର ମେଳାବେଳେ ସେ ସେ ୧୦ ଦିନ ଧରି ଶୌଚାଳୟ ସଫେଇ କାମ କରୁଥିଲେ । ବୋଧହୁଏ ସେଠାରେ ତାଙ୍କ ଫଟୋ ନିଆଯାଇଥିବ । ସେ ଖବରକାଗଜ ଛପା ହେଉଥିବା ଅଫିସକୁ ଯାଇ ମଧ୍ୟ ତାଙ୍କ ଫଟୋ ବାବଦରେ ପଚାରିଥିଲେ । କିନ୍ତୁ ଏହି ଫଟୋ ସଂପର୍କରେ ସରକାରଙ୍କୁ ପଚାର ବୋଲି ତାଙ୍କୁ କୁହାଯାଇଥିଲା ବୋଲି ଲକ୍ଷମୀ କହନ୍ତି ।
ସ୍ଥାନୀୟ ବିଜେପି ନେତାମାନେ ଏ ବାବଦରେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ପଶ୍ଚିମବଙ୍ଗ ବିଜେପି ମିଡିଆ ସେଲ ମୁଖ୍ୟ ସପ୍ତର୍ଷି ଚୌଧୁରୀ ଏ ନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି । କିନ୍ତୁ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି ବିଜେପି ସହ ଜଡିତ ଏକ ଯୁବ ନେତା କହିଛନ୍ତି ଯେ, ସେ ଲକ୍ଷମୀ ଦେବୀଙ୍କୁ ସାକ୍ଷାତ କରିଥିଲେ । ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ତାଙ୍କ ଭଳି ମହିଳାଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଫଟୋ ନେଇଥିବା ଲୋକଜଣକ କହିଥିବା ଲକ୍ଷମୀ ଦେବୀ ତାଙ୍କୁ କହିଛନ୍ତି ବୋଲି ନାମ ଗୋପନ ରଖିଥିବା ବିଜେପି ନେତାଜଣକ କହିଛନ୍ତି ।

ତେବେ ଲକ୍ଷମୀ ଦେବୀଙ୍କର ହିଁ ଫଟୋ ଉଠାଯାଇଛି । କାରଣ ଫଟୋରେ ଛିଡା ହୋଇ ସେ ହସୁଛନ୍ତି । କିନ୍ତୁ କେବେ ଏହି ଫଟୋ ନିଆଯାଇଥିଲା, ତାହା ହୁଏ ତ ଠିକ୍ ଭାବେ ଲକ୍ଷମୀ ଦେବୀ କହିପାରୁନାହାନ୍ତି ବୋଲି ସଂପୃକ୍ତ ବିଜେପି ଯୁବ ନେତା କହିଛନ୍ତି ।

ତେବେ, ସେ ଯାହା ହେଉନା କାହିଁକି, ଏହା ସ୍ପଷ୍ଟ ହୋଇଛି ଯେ, ଖବରକାଗଜରେ ବିଜ୍ଞାପନ ସତ, କିନ୍ତୁ ଲକ୍ଷମୀ ଦେବୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବା ମିଛ । ସରକାରୀ ଯୋଜନା ବୋଧହୁଏ ବିଜ୍ଞାପନ ଓ ଫଟୋରେ ଚାଲିଛି । !