ସ୍ପଷ୍ଟ କଲା ଆଇସିସି, ସାଉଥମ୍ପଟନ୍‌ରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ | News Room Odisha

ସ୍ପଷ୍ଟ କଲା ଆଇସିସି, ସାଉଥମ୍ପଟନ୍‌ରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ

ଦୁବାଇ – ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଲର୍ଡ୍ସ ପରିବର୍ତ୍ତେ ସାଉଥମ୍ପଟନର ଏଜିସ୍ ବାଉଲ୍‌ରେ ଖେଳାଯିବ । ବୁଧବାର ଆଇସିସି ତରଫରୁ ଏହା ସ୍ପଷ୍ଟ କରାଯାଇଛି ।

ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲର ପ୍ରଥମ ଭେନ୍ୟୁ ଲର୍ଡ୍ସ ଥିଲା । ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫାଇନାଲ ମ୍ୟାଚ୍ ସାଉଥମ୍ପଟନକୁ ସ୍ଥାନାନ୍ତର କରିବା ପାଇଁ ଆଇସିସି ନିଷ୍ପତ୍ତି ନେଇଛି । ଏହି ଫାଇନାଲ୍ ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ । ଜୁନ୍ ୨୩କୁ ରିଜର୍ଭ ଦିବସ ଭାବେ ରଖାଯାଇଛି ।

ନିକଟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ କହିଥିଲେ ଯେ, ଭାରତ-ନ୍ୟୁଜିଲାଣ୍ଡ ଟାଇଟଲ ମୁକାବିଲା ଲର୍ଡ୍ସ ପରିବର୍ତ୍ତେ ସାଉଥମ୍ପଟନରେ ହେବ । ତେବେ ଆଇସିସି ତରଫରୁ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇନଥିଲା । ଆଜି ଆଇସିସି ଭେନ୍ୟୁ ପରିବର୍ତ୍ତନ ନେଇ ସ୍ପଷ୍ଟ କରିଛି ।

ଲର୍ଡ୍ସ ଅପେକ୍ଷା ସାଉଥମ୍ପଟନରେ ଖେଳାଳି ଓ ଅଧିକାରୀଙ୍କ ପାଇଁ କ୍ୱାରେଣ୍ଟାଇନ ଓ ବାୟୋ ବବଲ ବ୍ୟବସ୍ଥା ଉନ୍ନତ । ଇଂଲଣ୍ଡ ଦଳ ମଧ୍ୟ ଗତବର୍ଷ ଏହାର ଅଧିକାଂଶ ମ୍ୟାଚ୍ ଏହି ଗ୍ରାଉଣ୍ଡରେ ଖେଳିଥିଲା ।

ଉଲ୍ଲେଖଯୋଗ୍ୟ, ସଦ୍ୟ ସମାପ୍ତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ରେ ହରାଇ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।