୧୮+ ଟିକାକରଣ: ପ୍ରଥମ ଦିନରେ ୧.୨୩ କୋଟି ଲୋକଙ୍କ ପଞ୍ଜିକରଣ, କିନ୍ତୁ ଟିକା ପାଇଁ ମିଳୁନି ସ୍ଲଟ୍ | News Room Odisha

୧୮+ ଟିକାକରଣ: ପ୍ରଥମ ଦିନରେ ୧.୨୩ କୋଟି ଲୋକଙ୍କ ପଞ୍ଜିକରଣ, କିନ୍ତୁ ଟିକା ପାଇଁ ମିଳୁନି ସ୍ଲଟ୍

‌ନୂଆଦିଲ୍ଲୀ: ମେ ୧ରୁ ଆରମ୍ଭ ହେବାକୁ ଥିବା ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ପ୍ରଥମ ଦିନ ପଞ୍ଜିକରଣ ବେଶ୍ ଉତ୍ସାହଜନକ ରହିଛି । ଏହି ବୟସବର୍ଗର ଟିକାକରଣ ପାଇଁ ବୁଧବାର ଅପରାହ୍ନ ୪ଟାରୁ କୋ-ୱିନ୍ ପୋର୍ଟାଲ ଏବଂ ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ୧.୨୩ କୋଟି ଲୋକ ପଞ୍ଜିକରଣ କରିଥିବା ଜଣାପଡିଛି । ତେବେ ଟିକା ନେବା ପାଇଁ ଲୋକଙ୍କୁ ଏ ଯାଏଁ ସ୍ଲଟ୍ ମିଳିପାରି ନାହିଁ । ଟିକା ପାଇଁ ସ୍ଲଟ୍ କେବେ ମିଳିବ ସେନେଇ ଲୋକେ ଏବେ ଅନିଶ୍ଚିତତାରେ ଅଛନ୍ତି ।

ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ଯେତେବେଳେ ୧୮+ ଲୋକଙ୍କ ପାଇଁ ପଞ୍ଜିକରଣ ଆରମ୍ଭ ହେଲା, ପ୍ରାୟ ୯୦% ୟୁଜର ଟିକାକରଣ ପାଇଁ ନିଜର ପଞ୍ଜିକରଣ କରିଥିଲେ । ପ୍ରଥମ ତିନି ଘଣ୍ଟାରେ (୪ଟାରୁ ୭) ୩୮୩ ମିଲିୟନ୍ ୟୁଜର ଆରୋଗ୍ୟ ସେତୁ ଏବଂ କୋ-ୱିନ୍ ପୋର୍ଟାଲରେ ଲଗ୍ ଇନ୍ କରିଥିଲେ । ପରେ ଏହି ସଂଖ୍ୟା ମିନିଟ୍ ପିଛା ୨.୭ ନିୟୁତ ଛୁଇଁଥିଲା ।

ପଞ୍ଜିକରଣ ବେଳେ ଲୋକଙ୍କୁ ସୂଚାଇ ଦିଆଯାଇଥିଲା ଯେ, ଟିକା ନେବା ପାଇଁ ସ୍ଲଟ୍ କେବେ ମିଳିବ ତାହା ସମ୍ପୃକ୍ତ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ଟିକାକରଣ କେନ୍ଦ୍ରର ପ୍ରସ୍ତୁତି ଉପରେ ନିର୍ଭର । ଅଧିକାଂଶ ରାଜ୍ୟ ଏହା ସ୍ପଷ୍ଟ କରିସାରିଛନ୍ତି ଯେ, ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ ଆରମ୍ଭ କରିବା କଷ୍ଟକର । କାରଣ ସେମାନଙ୍କ ପାଖରେ ଆବଶ୍ୟକ ପରିମାଣର ଟିକା ନାହିଁ ।