୮୮ ହଜାର କୋଟି ମୂଲ୍ୟର ୫୦୦ ଟଙ୍କିଆ ନୋଟ୍ ରହସ୍ୟଜନକ ଭାବେ ଗାଏବ, ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ନିରବତା ଉପରେ ଉଠିଲା ପ୍ରଶ୍ନ | News Room Odisha

୮୮ ହଜାର କୋଟି ମୂଲ୍ୟର ୫୦୦ ଟଙ୍କିଆ ନୋଟ୍ ରହସ୍ୟଜନକ ଭାବେ ଗାଏବ, ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ନିରବତା ଉପରେ ଉଠିଲା ପ୍ରଶ୍ନ

ମୁମ୍ବାଇ: ନୂଆରେ ଛପା ହୋଇଥିବା ପ୍ରାୟ ୮୮ ହଜାର କୋଟି ମୂଲ୍ୟର ୫୦୦ ଟଙ୍କିଆ ନୋଟ୍ ରହସ୍ୟଜନକ ଭାବେ ଉଭାନ ହୋଇଯାଇଛି । ଆରଟିଆଇ ମାଧ୍ୟମରେ ଏହି ବଡ଼ ଖୁଲାସା ହୋଇଛି । ଆରଟିଆଇ ଜରିଆରେ ମିଳିଥିବା ସୂଚନା ଅନୁଯାୟୀ ସରକାର ୮୮୧୦.୬୫ ନିୟୁତ ୫୦୦ ଟଙ୍କିଆ ନୋଟ୍ ଛାପିଥିଲେ । ଏଥିମଧ୍ୟରୁ କେବଳ ୭୨୬୦ ନିୟୁତ ନୋଟ୍ ହିଁ ରିଜର୍ଭ ବ୍ୟାଙ୍କରେ ପହଞ୍ଚିଛି | ଅବଶିଷ୍ଟ ୧୫୫୦ ନିୟୁତ ୫୦୦ ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କକୁ ମିଳିନାହିଁ । ଏହାର ମୂଲ୍ୟ ପ୍ରାୟ ୮୮ ହଜାର କୋଟି ହେବ । ଏତେ ପରିମାଣର ନୂଆରେ ମୁଦ୍ରିତ ନୋଟ୍ କୁଆଡ଼େ ଗଲା ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆରଟିଆଇ କର୍ମୀ ମନୋରଂଜନ ରୟଙ୍କ ଆବେଦନର ଉତ୍ତରରେ ଏପରି ଚାଞ୍ଚଲ୍ୟକର ସୂଚନା ମିଳିଛି । ମିଳିଥିବା ତଥ୍ୟରୁ ଜଣାପଡିଛି ଯେ କରେନ୍ସି ନୋଟ୍ ପ୍ରେସ୍, ନାସିକରେ ୨୦୧୫ ରୁ ମାର୍ଚ୍ଚ ୨୦୧୬ ମଧ୍ୟରେ ପ୍ରାୟ ୩୭୫.୪୫୦ ନିୟୁତର ୫୦୦ ଟଙ୍କିଆ ନୋଟ୍ ଛପା ହୋଇଥିଲା । କିନ୍ତୁ ରିଜର୍ଭ ବ୍ୟାଙ୍କ ରେକର୍ଡ କହୁଛି ଯେ ଏଥିମଧ୍ୟରୁ କେବଳ ୩୪୫ ନିୟୁତ ନୋଟ୍ ହିଁ ପହଞ୍ଚିଥିଲା । ଗତ ମାସରେ ଅନ୍ୟ ଏକ ଆରଟିଆଇ ଉତ୍ତରରେ କରେନ୍ସି ନୋଟ୍ ପ୍ରେସ୍, ନାସିକ୍ ପକ୍ଷରୁ କୁହାଯାଇଥିଲା ଯେ ଏପ୍ରିଲ୍ ୨୦୧୫ ରୁ ମାର୍ଚ୍ଚ ୨୦୧୬ ମଧ୍ୟରେ ରଘୁରାମ ରାଜନ ରାଜ୍ୟପାଳ ଥିବାବେଳେ ୨୧୦ ନିୟୁତ ସଂଖ୍ୟକ ୫୦୦ ଟଙ୍କିଆ ନୋଟ୍ ଛପା ହୋଇ ରିଜର୍ଭ ବ୍ୟାଙ୍କକୁ ପଠାଯାଇଥିଲା।

ନୋଟ୍ ପ୍ରେସ୍, ନାସିକ୍ ରିପୋର୍ଟରେ କୁହାଯାଇଛି ଯେ ନୂଆରେ ଛପା ହୋଇଥିବା ୫୦୦ ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ ସେହି ନୋଟ୍ ମିଳିନଥିବା ଉଲ୍ଲେଖ କରାଯାଇଛି । ଏହାର ଅର୍ଥ ହେଉଛି ସେହି ୨୧୦ ନିୟୁତ ୫୦୦ ଟଙ୍କିଆ ନୋଟ୍ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ମିଳିନାହିଁ ।

ଉଲ୍ଲେଖଯୋଗ୍ୟ ନୋଟ୍ ଛାପିବା ପାଇଁ ଭାରତରେ ୩ଟି ସରକାରୀ ଛାପାଖାନା ରହିଛି । ପ୍ରଥମଟି ହେଉଛି ବାଙ୍ଗାଲୋରରେ ଥିବା ଇଣ୍ଡିଆନ୍ ରିଜର୍ଭ ବ୍ୟାଙ୍କ ନୋଟ୍ ପ୍ରିଣ୍ଟିଂ ଲିମିଟେଡ୍ | ଦ୍ୱିତୀୟଟି ହେଉଛି କରେନ୍ସି ନୋଟ୍ ପ୍ରେସ୍, ନାସିକ୍ ଏବଂ ତୃତୀୟଟି ହେଉଛି ଦେୱାସରେ ଥିବା ବ୍ୟାଙ୍କ ନୋଟ୍ ପ୍ରେସ୍ | ନୋଟଗୁଡିକ ଏଠାରେ ଛପା ହୋଇ ଭାରତୀୟ ବଜାରକୁ ଛାଡ଼ିବା ପାଇଁ ରିଜର୍ଭ ବ୍ୟାଙ୍କର କୋଷାଗାରକୁ ପଠାଯାଏ |

ପ୍ରାୟ ୮୮ ହଜାର କୋଟି ମୂଲ୍ୟର ୫୦୦ ଟଙ୍କିଆ ନୋଟ୍ ଗାଏବ ହୋଇଯାଇଥିଲେ ମଧ୍ୟ ଏନେଇ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ନିରବତାକୁ ବିରୋଧୀ ସମାଲୋଚନା କରିଛନ୍ତି।

ନାସିକ, ଦେୱାସ ଏବଂ ବେଙ୍ଗାଲୁରୁରେ କେନ୍ଦ୍ର ସରକାରଙ୍କ ନୋଟ୍ ପ୍ରିଣ୍ଟିଂ ପ୍ରେସରୁ କୋଟି କୋଟି ଟଙ୍କାର ନୋଟ୍ ଉଭାନ ହେବା ପଛରେ ବଡ଼ ଦୁର୍ନୀତି ହୋଇଛି ବୋଲି ମହାରାଷ୍ଟ୍ରର ବିରୋଧୀ ଦଳ ନେତା ଅଜିତ ପାୱାର ଅଭିଯୋଗ କରିଛନ୍ତି । ୨୦୧୬ରେ ସରକାରୀ ଛାପାଖାନାରେ ଛପା ଯାଇଥିବା ନୋଟଗୁଡିକ କିନ୍ତୁ ତାହା ସରକାରଙ୍କ ପାଖରେ କିପରି ପହଞ୍ଚି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସେ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।