ଅଜଣା ରୋଗ ସମ୍ପର୍କରେ ଅନୁଧ୍ୟାନ ଲାଗି ଏଲୁରୁକୁ ବିଶେଷଜ୍ଞ ଦଳ ପଠାଇଲା କେନ୍ଦ୍ର | News Room Odisha

ଅଜଣା ରୋଗ ସମ୍ପର୍କରେ ଅନୁଧ୍ୟାନ ଲାଗି ଏଲୁରୁକୁ ବିଶେଷଜ୍ଞ ଦଳ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ – ଆନ୍ଧ୍ର ପ୍ରଦେଶର ଏଲୁରୁରେ ବ୍ୟାପିଥିବା ଅଜଣା ରୋଗ ସମ୍ପର୍କରେ ଅନୁଧ୍ୟାନ ପାଇଁ କେନ୍ଦ୍ର ଏକ ବିଶେଷଜ୍ଞ ଦଳ ଗଠନ କରିଛି । ଏହି ବିଶେଷଜ୍ଞ ଦଳ ମଙ୍ଗଳବାର ଏଲୁରୁ ଗସ୍ତ କରିବ । ଗତ କିଛିଦିନ ଧରି ଏଲୁରୁ ସହର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଅଜଣା ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ଏହି ରୋଗ ସଂକ୍ରାମକ ହୋଇଥିବା ନେଇ କୌଣସି ପ୍ରମାଣ ମିଳିପାରି ନାହିଁ । ଏହି ଅଜଣା ରୋଗରେ ଏଯାବତ ୩୪୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ପ୍ରତି ୧୫୭ ଜଣ ଲୋକ ଚିକିତ୍ସାଧୀନ ରହିଥିବା ବେଳେ ୧୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଏଲୁରୁ ସହରରୁ ୩୦୭ ଜଣ ଏହି ରୋଗରେ ପୀଡିତ ହୋଇଛନ୍ତି । ଅନ୍ୟ ୩୦ ଆକ୍ରାନ୍ତ ଏଲୁରୁ ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ଆସିଥିବା ବେଳେ ଅନ୍ୟ ତିନି ଡେଣ୍ଡୁଲୁରୁର ବୋଲି ଏଲୁରୁ ଜିଲ୍ଲାପାଳ କହିଛନ୍ତି । ଆକ୍ରାନ୍ତ ଲୋକଙ୍କ ମୁହଁରୁ ଫେଣ ବାହାରିବା ସହ ସେମାନେ ଚେତାଶୂନ୍ୟ ହେଇଯାଉଛନ୍ତି । କିଛି ଲୋକ ବାନ୍ତି କରିବା ସହ ମୁଣ୍ଡବିନ୍ଧା ଓ ପିଠି ଦରଜ ନେଇ ଅଭିଯୋଗ କରିଛନ୍ତି । ଏହି ଅଜଣା ରୋଗର କାରଣ ଜଣାପଡ଼ିନଥିଲେ ମଧ୍ୟ ଏହା ଦୂଷିତ ଜଳ ଦ୍ୱାରା ହେଉଥିବା ସନ୍ଦେହ କରାଯାଉଛି । ତେବେ ରାଜୁ କହିଛନ୍ତି ଯେ, ଏଲୁରୁ ମ୍ୟୁନିସିପାଲିଟି ଦ୍ୱାରା ଯୋଗାଣ ହେଉନଥିବା ଅଞ୍ଚଳର ଲୋକ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।