ଆଇଆଇଟି ରୁର୍‌କିରେ ୬୦ ଛାତ୍ର କରୋନା ପଜିଟିଭ୍‌, ପାଞ୍ଚ ହଷ୍ଟେଲ୍ ସିଲ୍‌ | News Room Odisha

ଆଇଆଇଟି ରୁର୍‌କିରେ ୬୦ ଛାତ୍ର କରୋନା ପଜିଟିଭ୍‌, ପାଞ୍ଚ ହଷ୍ଟେଲ୍ ସିଲ୍‌

ଡେରାଡୁନ – ଉତ୍ତରାଖଣ୍ଡ ରୁର୍‌କି ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ କରୋନା ପଶିଛି । ଏହି ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ପ୍ରାୟ ୬୦ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କର୍ତ୍ତୃପକ୍ଷ ପାଞ୍ଚଟି ହଷ୍ଟେଲ୍‌କୁ ସିଲ୍ କରିବା ସହ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।

ଦୁଇ ଦିନ ମଧ୍ୟରେ ଏହି ଶିକ୍ଷାନୁଷ୍ଠାନର ୬୦ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଛନ୍ତି । ସୋମବାର ୫୪ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପୁଣି ମଙ୍ଗଳବାର ଆଉ ୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତ୍ତୀ ନୋଟିସ୍ ଯାଏଁ ହଷ୍ଟେଲକୁ ନ ଫେରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।

ଆଇଆଇଟି ରୁର୍‌କି ମିଡିଆ ସେଲ୍ ଇନ୍‌ଚାର୍ଜ ସୋନିକା ଶ୍ରୀବାସ୍ତବ କହିଛନ୍ତି ଯେ, ୬୦ ଜଣ କରୋନା ଆକ୍ରାନ୍ତ ହେବା ପରେ କୋର୍ଲେ, କସ୍ତୁରବା, ସରୋଜିନୀ, ଗୋବିନ୍ଦ ଭବନ ଏବଂ ବିଜ୍ଞାନକୁଞ୍ଜ ହଷ୍ଟେଲକୁ ହରିଦ୍ୱାରା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯିବା ସହ ଏହି ପାଞ୍ଚ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଆଇଆଇଟି ରୁର୍‌କିରେ ସମ୍ପ୍ରତି ୩୫୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏଥିମଧ୍ୟରୁ ୧୨୦୦ ଛାତ୍ରଛାତ୍ରୀ ସିଲ୍ ହୋଇଥିବା ପାଞ୍ଚ ହଷ୍ଟେଲରେ ରହୁଥିଲେ । ଏହି ହଷ୍ଟେଲ ଗୁଡିକର ଅନ୍ତେବାସୀଙ୍କୁ ନିଜ ରୁମ୍ ଭିତରେ ରହିବାକୁ କୁହାଯାଇଛି । ସେମାନଙ୍କୁ ଖାଇବା ସହ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ଶ୍ରୀବାସ୍ତବ କହିଛନ୍ତି ।