ଆଇପିଏଲ୍‌ରୁ ବି ବଞ୍ଚିତ ହେଲେ ଶ୍ରେୟସ ଆୟାର, ଚାରି ମାସ ଖେଳିପାରିବେନି କ୍ରିକେଟ୍‌ | News Room Odisha

ଆଇପିଏଲ୍‌ରୁ ବି ବଞ୍ଚିତ ହେଲେ ଶ୍ରେୟସ ଆୟାର, ଚାରି ମାସ ଖେଳିପାରିବେନି କ୍ରିକେଟ୍‌

ପୁଣେ – ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ଦୁଇଟି ଦିନିକିଆରୁ ବାଦ୍ ପଡିଥିବା ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଆସନ୍ତା ମାସରୁ ଆରମ୍ଭ ହେଉଥିବା ଆଇପିଏଲର ୧୪ତମ ସଂସ୍କରଣରୁ ବି ବଞ୍ଚିତ ହୋଇଛନ୍ତି । ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂ କଲାବେଳେ ଆୟରଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା ବାମ କାନ୍ଧର ଲିଗାମେଣ୍ଟ ଖସିଯାଇଥିବାରୁ ଶ୍ରେୟସଙ୍କ ଅସ୍ତ୍ରୋପଚାର ଜରୁରୀ ହୋଇପଡିଛି । ଏଭଳି ସ୍ଥଳେ ସେ ପ୍ରାୟ ଚାରି ମାସ କ୍ରିକେଟରୁ ଦୂରେଇ ରହିବେ ।
ତାଙ୍କ ଆଘାତ ସମସ୍ୟା ଗୁରୁତର ଥିଲେ ମଧ୍ୟ ସେ ଆହୁରି ଦୃଢ ମନୋବଳ ସହ ପଡିଆକୁ ଫେରିବେ ବୋଲି ଶ୍ରେୟସ କହିଛନ୍ତି । ତାଙ୍କ ସୁସ୍ଥତା ନେଇ ଶୁଭେଚ୍ଛା ପାଇଁ ଶ୍ରେୟସ ପ୍ରଶଂସକଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଯେତେ ବଡ଼ ସମସ୍ୟା ହେଲେ ବି ସେ ଆହୁରି ଶକ୍ତିଶାଳୀ ଓ ଦୃଢ ମନୋବଳ ସହ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବେ ।

ନିକଟରେ ସେ ଇଂଲିଶ୍ କାଉଣ୍ଟି ଦଳ ଲଙ୍କାସାୟର ସହ ଚୁକ୍ତି କରିଥିଲେ । ହେଲେ ଏହି କାଉଣ୍ଟି ଦଳ ପାଇଁ ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଦିନିକିଆ ଟୁର୍ଣ୍ଣାମେଣ୍ଟରେ ବି ଶ୍ରେୟସ ଖେଳିପାରିବେ ନାହିଁ ।

ପ୍ରଥମ ଦିନିକିଆରେ ଇଂଲଣ୍ଡ ଇନିଂସର ଅଷ୍ଟମ ଓଭରରେ ଶ୍ରେୟସ ଆହତ ହୋଇଥିଲେ । ଜନି ବେୟାରଷ୍ଟୋଙ୍କ ଏକ ସଟକୁ ଶ୍ରେୟସ ଡାଇଭ୍ ମାରି ଅଟକାଇବାକୁ ଉଦ୍ୟମ କଲାବେଳେ ତାଙ୍କ ବାମ କାନ୍ଧର ହାଡ଼ ଖସିଯାଇଥିଲା । ଅତି ଯନ୍ତ୍ରଣା ଜର୍ଜରିତ ହୋଇ ସେ ପଡିଆ ଛାଡ଼ିଥିଲେ ।
ଗତ ଆଇପିଏଲ୍ ସିଜନରେ ଶ୍ରେୟସଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲକୁ ଉନ୍ନୀତ ହୋଇଥିଲା । ଏଥର ତାଙ୍କ ଅନୁପସ୍ଥିତିରେ ଦିଲ୍ଲୀର ଅଧିନାୟକ ଦୌଡରେ ରିଷଭ ପନ୍ତଙ୍କ ସମେତ ଷ୍ଟିଭ୍ ସ୍ମିଥ୍ ଏବଂ ଆର.ଅଶ୍ୱିନ୍ ଅଛନ୍ତି ।