ଆଇସିଏମ୍ଆର୍ ର ଦାବି: କରୋନାର ଅଧିକାଂଶ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ 'କୋଭାକ୍ସିନ' ଟିକା | News Room Odisha

ଆଇସିଏମ୍ଆର୍ ର ଦାବି: କରୋନାର ଅଧିକାଂଶ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ ‘କୋଭାକ୍ସିନ’ ଟିକା

ନୂଆଦିଲ୍ଲୀ – ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ରେକର୍ଡ ସ୍ତରରେ ପହଞ୍ଚୁଛି। ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ କୋଟିରୁ ଅଧିକ ଲୋକଙ୍କୁ ଟୀକା ଡୋଜ୍ ଦିଆଯାଇଛି। ଏହାରି ଭିତରେ ‘କୋଭାକ୍ସିନ’କୁ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏକ ବଡ଼ ଘୋଷଣା କରିଛି । ଏହାର ଅନୁସନ୍ଧାନରେ ଆଇସିଏମ୍ଆର୍ କହିଛି ଯେ ‘କୋଭାକ୍ସିନ’ କରୋନା ଭାଇରସ ଅଧିକାଂଶ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ ସାବ୍ୟସ୍ତ ହେଇଛି ।

ଆଇସିଏମଆର ଏହାର ଅନୁସନ୍ଧାନରେ ଦାବି କରିଛି ଯେ ‘କୋଭାକ୍ସିନ’ କରୋନାର ବିଭିନ୍ନ ଷ୍ଟ୍ରେନ୍ ସହିତ ଲଢିପାରେ। ଆଇସିଏମଆର କହିଛି ଯେ ଏହି ଟିକା କରୋନା ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ସହିତ ମୁକାବିଲା କରିବାରେ ମଧ୍ୟ ପ୍ରଭାବଶାଳୀ ଅଟେ। ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ‘କୋଭାକ୍ସିନ’ ନାମକ ଏହି ଟିକା ହେଉଛି ଏକମାତ୍ର ସ୍ୱଦେଶୀ ଉତ୍ପାଦିତ ଟିକା।

ଭାରତରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ଏହି ସ୍ବଦେଶୀ ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ପଦକ୍ଷେପ ନେଇଛନ୍ତି। ଆତ୍ମନିର୍ଭରଶୀଳ ଭାରତ ମିଶନ ୩.୦ ଅଧୀନରେ ଚାଲିଥିବା ମିଶନ କୋଭିଡ ସୁରକ୍ଷା ମାଧ୍ୟମରେ ଏହି ସ୍ୱଦେଶୀ ଟିକା ବିକାଶ ତଥା ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ ସହାୟତା ପ୍ରଦାନ ପାଇଁ ଏକ ବ୍ୟବସ୍ଥା କରାଯାଇଛି। ଏହା ଅଧୀନରେ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଭାରତ ବାୟୋଟେକ କମ୍ପାନୀକୁ ୬୫ କୋଟି ଟଙ୍କା ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛି। ଏହି ଅର୍ଥ ବାଙ୍ଗାଲୋରର ଭରତ ବାୟୋଟେକର ନୂଆ କେନ୍ଦ୍ରରେ ଟିକା ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ବିନିଯୋଗ ହେବ।

COVAXIN