ଆଉ ୧.୪୫ କୋଟି ଡୋଜ୍ ପାଇଁ ଅର୍ଡର ଦେଲେ କେନ୍ଦ୍ର ସରକାର | News Room Odisha

ଆଉ ୧.୪୫ କୋଟି ଡୋଜ୍ ପାଇଁ ଅର୍ଡର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ କେନ୍ଦ୍ର ସରକାର ଆଉ ୧.୪୫ କୋଟି କୋଭିଡ ଟିକାର ଅର୍ଡର ଦେଇଛନ୍ତି । ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଫେବୃୟାରୀ ୧୩ରୁ ଦ୍ୱିତୀୟ ଡୋଜ୍ ଲଗାଯିବ । ଏଥିପାଇଁ ସରକାର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ‘କୋଭିସିଲ୍ଡ’ କୋଟିଏ ଏବଂ ଭାରତ ବାୟୋଟେକର ‘କୋଭାକ୍ସିନ’ ଟିକାର ୪୫ ଲକ୍ଷ ଡୋଜ୍ ବରାଦ କରିଛନ୍ତି ।
କୋଭିଡ୍ ବିରୋଧରେ ଦେଶରେ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ ଲକ୍ଷ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ।
ସେରମ୍ ଇନଷ୍ଟିଚ୍ୟୁଟ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ‘କୋଭିସିଲ୍ଡ’ ଟିକାର ଆଉ ୧ କୋଟି ଡୋଜ୍ ପାଇଁ ଅର୍ଡର ଦେଇଛନ୍ତି । ପୂର୍ବରୁ ଏହି ଟିକାର ୧.୧ କୋଟି ଡୋଜ୍ ସରକାର କିଣିଥିଲେ । ସେହିପରି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ର ମଧ୍ୟ ଆଉ ୪୫ ଲକ୍ଷ ଡୋଜ୍ କିଣିବେ ସରକାର । ଭାରତ ବାୟୋଟେକ୍ ‘କୋଭାକ୍ସିନ’ ଟିକାର ୟୁଏଇ ଓ ବ୍ରାଜିଲ ଭଳି ଦେଶକୁ ରତ୍ପାନୀ ମଧ୍ୟ କରିବ । ଫିଲିପାଇନ୍ସ ଓ ଅନ୍ୟ ଦକ୍ଷିଣ ଏସୀୟ ଦେଶମାନଙ୍କୁ ମଧ୍ୟ ଟିକା ରତ୍ପାନୀ କରାଯିବ ବୋଲି କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ କେନ୍ଦ୍ର ସରକାର ଭାରତ ବାୟୋଟେକ ଠାରୁ ‘କୋଭାକ୍ସିନ’ର ୫୫ ଲକ୍ଷ ଡୋଜ୍ କିଣିଥିଲେ ।

COVID-19 Vaccination