ଆଜି ଚତୁର୍ଥ ଟି୨୦; ଭାରତ ପାଇଁ କର ବା ମର ସ୍ଥିତି, ସିରିଜ୍ ବଞ୍ଚାଇବା ଲକ୍ଷ୍ୟ | News Room Odisha

ଆଜି ଚତୁର୍ଥ ଟି୨୦; ଭାରତ ପାଇଁ କର ବା ମର ସ୍ଥିତି, ସିରିଜ୍ ବଞ୍ଚାଇବା ଲକ୍ଷ୍ୟ

ଅହମ୍ମଦାବାଦ – ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି୨୦ ଗୁରୁବାର ଖେଳାଯିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ରେ ପଛୁଆ ଥିବା ବିରାଟ ବାହିନୀ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଦଳ ଉନ୍ନତ ପ୍ରଦର୍ଶନ ସହ ସିରିଜକୁ ଉଜ୍ଜବିତ ରଖିବାକୁ ଚାହିଁବ । ପ୍ରଥମ ତିନି ମ୍ୟାଚରେ ଟସ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଏଯାବତ ଟସ୍ ଜିତିବା ଦଳ ହିଁ ବିଜୟୀ ହୋଇଛି । ଉଭୟ ଦଳ ବିଜୟଲକ୍ଷ୍ୟର ପିଛା କରି ଜିତିଛନ୍ତି । ଭାରତକୁ କିନ୍ତୁ ଟସ୍ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ପଡିବ, ନଚେତ୍ ସିରିଜ୍ ହାତରୁ ଖସିଯିବ ।

ଅଧିନାୟକ ବିରାଟ କୋହଲି ମଧ୍ୟ ଏହି କଥାକୁ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି । ଟାର୍ଗେଟ୍ ଧାର‌୍ୟ୍ୟ କରିବା ହେଉ ଅବା ଚେଜ୍ କରିବା, ଘରୋଇ ମାଟିରେ ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ ପ୍ରସ୍ତୁତି ପାଇଁ ଦଳକୁ ସବୁ ସ୍ଥିତିରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

ଭାରତ ଚଳିତ ସିରିଜରେ ପ୍ରଥମେ ବ୍ୟାଟିଂ କରି ଦୁଇଥର ପରାସ୍ତ ହୋଇଛି । ଦଳ ପାୱାର-ପ୍ଲେରେ ରନ୍ ଗତି ବଢାଇବାରେ ବିଫଳ ହୋଇଛି । ଏହାର ପ୍ରଭାବ ଚୂଡାନ୍ତ ସ୍କୋର ଉପରେ ପଡିଛି । ପ୍ରଥମ ମ୍ୟାଚରେ ଶ୍ରେୟାସ ଆୟାର ଏବଂ ଦ୍ୱିତୀୟ ଓ ତୃତୀୟ ମ୍ୟାଚରେ କୋହଲି ବଡ଼ ସ୍କୋର କରିଥିଲେ ହେଁ ଅନ୍ୟପଟୁ ଉପଯୁକ୍ତ ସହାୟତା ଅଭାବାରୁ ଭାରତ ଚାଲେଞ୍ଜିଂ ସ୍କୋର ଛିଡା କରିବାରେ ବିଫଳ ହୋଇଛି ।

ଏହାର ମୁଖ୍ୟ କାରଣ ହେଉଛି କେଏଲ୍ ରାହୁଲଙ୍କ ଖରାପ ଫର୍ମ । ରାହୁଲ ଲଗାତର ଦୁଇଥର ଶୂନରେ ଆଉଟ ହେବା ସହ ପ୍ରଥମ ତିନୋଟି ମ୍ୟାଚରେ କେବଳ ୧ ରନ୍ କରିଛନ୍ତି । ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ରାହୁଲଙ୍କୁ କୋହଲି ସମର୍ଥନ କରିଛନ୍ତି । ରାହୁଲ ଓ ରୋହିତ ଦଳର ପ୍ରଥମ ପସନ୍ଦ ଓପନିଂ ଯୋଡି ବୋଲି ସେ କହିଛନ୍ତି ।

ଇଂଲଣ୍ଡ ବୋଲର ମାର୍କ ଉଡ୍ ଏବଂ ଜୋଫ୍ରା ଆର୍ଚରଙ୍କ ବେଗ ମଧ୍ୟ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଇଂଲଣ୍ଡର ଏହି ଦୁଇ ପେସ୍ ବୋଲର ପ୍ରଥମ ୬ ଓଭରରେ ଭାରତୀୟ ଟପ୍ ଅର୍ଡର ଉପରେ ଅଙ୍କୁଶ ଲଗାଇବାରେ ଏଯାବତ ସମର୍ଥ ହୋଇଛନ୍ତି । ସେମାନେ ନିଜ ପେସ୍ ଓ ବାଉନ୍ସ ଦ୍ୱାରା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବା ସହ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି ।

ଭାରତୀୟ ଦଳରେ ଜଣେ ତୃତୀୟ ଅଲରାଉଣ୍ଡରଙ୍କୁ ସାମିଲ କରାଯିବା ସମ୍ଭାବନା ରହିଛି । ତୃତୀୟ ଟି୨୦ ପରେ ଅଧିନାୟକ କୋହଲି ଏଭଳି ସଙ୍କେତ ଦେଇଥିଲେ । ସେ କହିଥିଲେ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦରଙ୍କ ବ୍ୟତୀତ ଜଣେ ଅତିରିକ୍ତ ଅଲରାଉଣ୍ଡରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ପାରେ । ଯଦି ଏହି ନିଷ୍ପତ୍ତି ସହ ସେ ଆଗେଇ ଯାଆନ୍ତି, ତେବେ ରାହୁଲ ତେୱାତିଆ କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ ।