ଆଜି ଦିଲ୍ଲୀ-ଜୟପୁର ଏବଂ ଦିଲ୍ଲୀ-ଆଗ୍ରା ରାଜପଥ ଅବରୋଧ କରିବେ ଚାଷୀ, ସାରା ଦେଶରେ ଟୋଲ୍ ପ୍ଲାଜା ବି ବନ୍ଦ କରିବେ | News Room Odisha

ଆଜି ଦିଲ୍ଲୀ-ଜୟପୁର ଏବଂ ଦିଲ୍ଲୀ-ଆଗ୍ରା ରାଜପଥ ଅବରୋଧ କରିବେ ଚାଷୀ, ସାରା ଦେଶରେ ଟୋଲ୍ ପ୍ଲାଜା ବି ବନ୍ଦ କରିବେ

ନୂଆଦିଲ୍ଲୀ – କୃଷି ଆଇନ ରଦ୍ଦ କରିବା ଦାବିରେ ଚାଷୀମାନେ ଆଜି ଆନ୍ଦୋଳନକୁୁ ଆହୁରି ଜୋରଦାର କରିବେ। ଆଜି ସାରା ଦେଶରେ ଚାଷୀମାନେ ଟୋଲ୍ ପ୍ଲାଜା ମଧ୍ୟ ବନ୍ଦ କରିବେ। ସେମାନେ ଦିଲ୍ଲୀ-ଜୟପୁର ଏବଂ ଦିଲ୍ଲୀ-ଆଗ୍ରା ରାଜପଥ ଅବରୋଧ କରିବେ। ତେବେ ସେମାନେ ଏହା ମଧ୍ୟ କହିଛନ୍ତି ଯେ ସରକାରଙ୍କ ସହ କଥାବାର୍ତ୍ତାର ଦ୍ୱାର ଖୋଲା ଅଛି, ଯଦି ଆମନ୍ତ୍ରଣ କରାଯାଏ, ତେବେ ଆମେ ନିଶ୍ଚିତ ଭାବେ ଆଲୋଚନା କରିବୁ।

ଚାଷୀଙ୍କ ଟୋଲ୍ ପ୍ଲାଜା ବନ୍ଦ ଚେତାବନୀକୁ ଦୃଷ୍ଟିରେ ରଖି ଫରିଦାବାଦ ପୋଲିସ ଦିଲ୍ଲୀ-ହରିୟାଣା ରାସ୍ତାରେ ଆସୁଥିବା ୫ ଟୋଲ୍ ପ୍ଲାଜାରେ ୩୫୦୦ ପୋଲିସ୍ ନିୟୋଜିତ କରିବ। ବଦରପୁର, ଗୁରୁଗ୍ରାମ-ଫରିଦାବାଦ, କୁଣ୍ଡଲି-ଗାଜିଆବାଦ-ପାଲୱାଲ, ପାଲି କ୍ରସର ଜୋନ୍ ଏବଂ ଧୌଜ ଟୋଲ ପ୍ଲାଜାରେ ଏହି ପ୍ରଦର୍ଶନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ। ପୋଲିସ କହିଛି ଯେ ସେମାନେ ସମସ୍ତଙ୍କୁ ସମ୍ମାନ କରନ୍ତି, କିନ୍ତୁ ଯଦି ଆଇନ ଶୃଙ୍ଖଳା ଖରାପ ହୁଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଞ୍ଜାବର ବିଭିନ୍ନ ଜିଲ୍ଲାର ୫୦ ହଜାର ଚାଷୀ ଏହି ଆନ୍ଦୋଳନରେ ଯୋଗଦେବା ପାଇଁ ଶୁକ୍ରବାର ଦିନ ଦିଲ୍ଲୀ ଯାଇଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ସେମାନେ କୁଣ୍ଡଲି ସୀମାରେ ପହଞ୍ଚିବେ। କିସାନ ମଜଦୁର ସଂଘର୍ଷ ସମିତି ସହ ଜଡିତ ଏହି ବ୍ୟକ୍ତିମାନେ ଅମୃତସର, ତାରନ ତରନ, ଗୁରୁଦାସପୁର, ଜଲନ୍ଦର, କାପୁରଥାଲା ଏବଂ ମୋଗା ଜିଲ୍ଲାରୁ ଆସୁଛନ୍ତି ।

ଶୀତ ଏବଂ କରୋନା ସତ୍ତ୍ୱେ ଚାଷୀମାନେ ୧୭ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଟିକ୍ରି ଏବଂ ସିଙ୍ଗୁ ସୀମାରେ ୧୧ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ପେଟ କିମ୍ବା ଛାତି ଆଘାତ ଯୋଗୁଁ କେହି ମୃତ୍ୟୁ ବରଣ କରିଥିବା ବେଳେ ଆଉ କିଛି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଶୀତଦିନେ ଖୋଲା ଆକାଶ ତଳେ ବସିଥିବା ଚାଷୀମାନେ ଅସୁସ୍ଥ ହୋଇପଡିଛନ୍ତି।