ଆଜି ବିଶେଷଜ୍ଞ କମିଟିର ବୈଠକ, କରୋନା ଟିକାକୁ ମିଳିପାରେ ମଞ୍ଜୁରି | News Room Odisha

ଆଜି ବିଶେଷଜ୍ଞ କମିଟିର ବୈଠକ, କରୋନା ଟିକାକୁ ମିଳିପାରେ ମଞ୍ଜୁରି

ନୂଆଦିଲ୍ଲୀ – ଦେଶରେ ଟିକାକରଣ ପାଇଁ ଆଜି ଆସିପାରେ ବଡ଼ ନିଷ୍ପତ୍ତି । କରୋନା ଟିକା ଉପରେ କେନ୍ଦ୍ର ବିଶେଷଜ୍ଞ କମିଟିର ଆଜି ଏକ ବୈଠକ ବସୁଛି । ଏହି ବୈଠକରେ ଜରୁରୀ ବ୍ୟବହାର ପାଇଁ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ଆବେଦନକୁ ମଞ୍ଜୁରି ମିଳିପାରେ । ଏଯାବତ୍ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ), ଭାରତ ବାୟୋଟେକ୍ ଓ ଫାଇଜର ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡ଼ିଛନ୍ତି ।
ଏସ୍‌୍‌ଆଇଆଇ ଭାରତରେ ଅକ୍ସଫୋର୍ଡ ଟିକା ବିତରଣ ଦାୟିତ୍ୱ ନେଇଛି । ଭାରତରେ ଏହି ଟିକା ‘କୋଭିସିଲ୍ଡ’ ନାମରେ ଉପଲବ୍ଧ ହେବ । ସେହିପରି ଦେଶୀ ଟିକା ଭାବେ ବିବେଚିତ ହେଉଥିବା ଭାରତ ବାୟୋଟେକର ‘କୋଭାକ୍ସିନ’ ମଧ୍ୟ ବୁଧବାର ବିଶେଷଜ୍ଞ କମିଟି ଆଗରେ ଆବଶ୍ୟକ ତଥ୍ୟ ଦାଖଲ କରିଥିଲା ।

ଆମେରିକୀୟ କମ୍ପାନୀ ଫାଇଜର ତଥ୍ୟ ଦାଖଲ କରିବାକୁ ସମୟ ମାଗିଥିବା ଜଣାପଡିଛି ।
ବିଶେଷଜ୍ଞ କମିଟିର ମଞ୍ଜୁରି ମିଳିବା ପରେ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ଆବେଦନ ଚୂଡାନ୍ତ ଅନୁମୋଦନ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ନିକଟକୁ ପଠାଯିବ । କେନ୍ଦ୍ର ସରକାର ଜାନୁୟାରୀରୁ ହିଁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ଶନିବାର ଠାରୁ ସାରା ଦେଶରେ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହେବ ।

COVID-19COVID-19 Vaccine