'ଆଣ୍ଟିଲିଆ' ନିକଟରୁ ଜବତ ବିସ୍ଫୋରକ ଭର୍ତ୍ତି ଗାଡି ମାମଲାର ତଦନ୍ତ କରିବ ଏନ୍ଆଇଏ | News Room Odisha

‘ଆଣ୍ଟିଲିଆ’ ନିକଟରୁ ଜବତ ବିସ୍ଫୋରକ ଭର୍ତ୍ତି ଗାଡି ମାମଲାର ତଦନ୍ତ କରିବ ଏନ୍ଆଇଏ

ମୁମ୍ବାଇ – ଶିଳ୍ପପତି ମୁକେଶ ଅମ୍ବାନିଙ୍କ ବାସଭବନ ପାଖରୁ ଜବତ ହୋଇଥିବା ବିସ୍ଫୋରକ ଭର୍ତ୍ତି ଗାଡି ମାମଲାର ତଦନ୍ତ
ଏନଆଇଏ କରିବ। ଏନଆଇଏର ସ୍ୱତନ୍ତ୍ର ଟିମ୍ ଖୁବ ଶୀଘ୍ର ଦିଲ୍ଲୀରୁ ମୁମ୍ବାଇ ଯିବେ।

କେବଳ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଗାଡି ମାଲିକ ହିରେନ ମାନସୁଖଙ୍କ ମୃତଦେହ ମିଳିବା ​​ଘଟଣାରେ ତାଙ୍କ ପତ୍ନୀଙ୍କ ବୟାନ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତ ମହାରାଷ୍ଟ୍ରର ଏଟିଏସ୍ କରୁଛି।

ଫେବୃଆରୀ ୨୫ରେ ଦକ୍ଷିଣ ମୁମ୍ବାଇର ଅମ୍ବାନୀଙ୍କ ବହୁ ମହଲା ବିଶିଷ୍ଟ ଘର ‘ଆଣ୍ଟିଲିଆ’ ନିକଟରେ ୨୦ଟି ଜେଲାଟିନ୍ ଥିବା ଏକ ସ୍କର୍ପିଓ କାର୍ ମିଳିଥିଲା ​​| ଫେବୃଆରୀ ୮ରେ ଏୟାରୋଲି-ମୁଲୁଣ୍ଡ ବ୍ରିଜ ନିକଟରୁ ଏହି ଗାଡି ଚୋରି ହୋଇଥିବା ପୋଲିସ କହିଥିଲା।

ମାର୍ଚ୍ଚ ୫ରେ ସ୍କର୍ପିଓ ମାଲିକ ମାନସୁଖ ହିରେନ (୪୬)ଙ୍କ ମୃତଦେହ ଠାଣେର ଏକ ହ୍ରଦ ମୁହାଣରୁ ମିଳିଥିଲା। ଏହି ମାମଲାରେ ହିରେନଙ୍କ ପରିବାର ସଦସ୍ୟ ହତ୍ୟା ମାମଲା ରୁଜୁ ଦାବି କରି ତାଙ୍କ ମୃତଦେହ ନେବାକୁ ମନା କରିଦେଇଥିଲେ। ତେବେ ପୁଣେ ପୋଲିସର ବରିଷ୍ଠ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିବାର ଲୋକେ ଶନିବାର ଶବ ନେବାକୁ ରାଜି ହୋଇଥିଲେ।

ମାନସୁଖଙ୍କ ମୃତ୍ୟୁର ତଦନ୍ତ ଏଟିଏସ୍ କରିବ। ଶନିବାର ବିଳମ୍ବିତ ରାତିରେ ହିରେନଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ଏଟିଏସକୁ ହସ୍ତାନ୍ତର କରିବାକୁ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଥିଲା।