‘ଆଣ୍ଟିଲିଆ’ ମାମଲାରେ ପୋଲିସ୍ ଅଧିକାରୀ ସଚିନ ବାଜେଙ୍କୁ ଗିରଫ କଲା ଏନ୍‌ଆଇଏ | News Room Odisha

‘ଆଣ୍ଟିଲିଆ’ ମାମଲାରେ ପୋଲିସ୍ ଅଧିକାରୀ ସଚିନ ବାଜେଙ୍କୁ ଗିରଫ କଲା ଏନ୍‌ଆଇଏ

ମୁମ୍ବାଇ – ମୁକେଶ ଅମ୍ବାନିଙ୍କ ଘର ‘ଆଣ୍ଟିଲିଆ’ ପାଖରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ମାମଲାରେ ଏନ୍‌ଆଇଏ ଶନିବାର ବିଳମ୍ବିତ ରାତିରେ ସହକାରୀ ପୋଲିସ୍ ଇନ୍ସିପେକ୍ଟର ସଚିନ ବାଜେଙ୍କୁ ଗିରଫ କରିଛି । ବାଜେଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଏହି ମାମଲାରେ ବାଜେଙ୍କୁ ଗତକାଲି ଏନ୍‌ଆଇଏ ତରଫରୁ ୧୨ ଘଣ୍ଟା ଜେରା କରାଯାଇଥିଲା । ରାତି ପ୍ରାୟ ୧୧ଟା ୫୦ ମିନିଟ୍‌ରେ ତାଙ୍କୁ ଗିରଫ କରାଯାଇଥିଲା ।

ଏନ୍‌ଆଇଏର ଜଣେ ପ୍ରବକ୍ତା କହିଛନ୍ତି ଯେ, ଆଣ୍ଟିଲିଆ ପାଖରେ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ପାର୍କିଂ କରିବା ଘଟଣାରେ ବାଜେଙ୍କ ସମ୍ପୃକ୍ତି ଥିଲା । ଏହି ଘଟଣାରେ ତଦନ୍ତ ଜାରି ରହିଛି । ଅନ୍ୟ ଅଭିଯକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ୍ ବାଜେ ଜବତ ସ୍କୋର୍ପିଓର ମାଲିକ ମନସୁଖ ହିରେନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ମଧ୍ୟ ଅଭିଯୁକ୍ତ ଅଛନ୍ତି । ମାର୍ଚ୍ଚ ୫ରେ ଥାନେର ଏକ ହ୍ରଦ ପାଖରୁ ହିରେନଙ୍କ ମୃତଦେହ ମିଳିଥିଲା । ତାଙ୍କ ସ୍ୱାମୀଙ୍କୁ ବାଜେ ହତ୍ୟା କରିଛନ୍ତି ବୋଲି ମୃତ ହିରେନଙ୍କ ପତ୍ନୀ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ଫେବୃୟାରୀ ୨୫ରେ ଦକ୍ଷିଣ ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନିଙ୍କ ବହୁତଳ କୋଠା ‘ଆଣ୍ଟିଲିଆ’ ପାଖରେ ଏକ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ଠିଆ ହୋଇଥିଲା । ଉକ୍ତ ସ୍କୋର୍ପିଓରୁ ଜିଲେଟିନ୍ ଷ୍ଟିକ୍ ସହ ମୁକେଶ ଅମ୍ବାନି ଓ ତାଙ୍କ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା । ପ୍ରାଥମିକ ତଦନ୍ତରୁ ଉକ୍ତ ସ୍କୋର୍ପିଓ ମନସୁଖ ହିରେନଙ୍କର ବୋଲି ଜଣାପଡିଥିଲା । ତେବେ ମାର୍ଚ୍ଚ ୫ରେ ଥାନେର ଏକ ହ୍ରଦ ମୁହାଣରୁ ହିରେନଙ୍କ ମୃତଦେହ ମିଳିବା ପରେ ଏହି ଘଟଣାରେ ନୂଆ ମୋଡ଼ ଆସିଥିଲା । ହରେନଙ୍କ ପତ୍ନୀ ବିମଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ପୋଲିସ୍ ଅଫିିସର ବାଜେଙ୍କୁ ଦାୟୀ କରିଥିଲେ । ବାଜେ ତାଙ୍କୁ ସ୍ୱାମୀଙ୍କ ହତ୍ୟା କରିଛନ୍ତି ବୋଲି କହି ସେ ଥାନାରେ ଏତଲା ଦେଇଥିଲେ ।