ଆଣ୍ଟିଲିଆ ମାମଲା: ସ୍କୋର୍ପିଓରୁ ମିଳିଥିବା ବିସ୍ଫୋରକ ସଚିନ ବାଜେ ଆଣିଥିଲେ | News Room Odisha

ଆଣ୍ଟିଲିଆ ମାମଲା: ସ୍କୋର୍ପିଓରୁ ମିଳିଥିବା ବିସ୍ଫୋରକ ସଚିନ ବାଜେ ଆଣିଥିଲେ

ମୁମ୍ବାଇ – ‘ଆଣ୍ଟିଲିଆ’ ମାମଲାରେ ଗିରଫ ପୋଲିସ୍ ଇନ୍ସିପେକ୍ଟର ସଚିନ ବାଜେଙ୍କ ସମ୍ପୃକ୍ତି ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି । ଏହି ଘଟଣାର ତଦନ୍ତ କରୁଥିବା ଏନ୍‌ଆଇଏ କହିଛି ଯେ, ଶିଳ୍ପପତି ମୁକେଶ ଅମ୍ବାନିଙ୍କ ବହୁତଳ କୋଠା ଆଗରୁ ଜବତ ସ୍କୋର୍ପିଓ ଗାଡ଼ିରେ ମିଳିଥିବା ଜିଲେଟିନ୍ କାଠି ବାଜେ ହିଁ ଆଣିଥିଲେ । ତେବେ ସେ ଏହି ବିସ୍ଫୋରକ କେଉଁଠୁ ଆଣିଥିଲେ ସେନେଇ ଏନ୍‌ଆଇଏ କିଛି କହି ନାହିଁ ।

ବାଜେ ଓ ତାଙ୍କ ଡ୍ରାଇଭର ହିଁ ‘ଆଣ୍ଟିଲିଆ’ ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ପାର୍କିଂ କରିଥିଲେ ବୋଲି ଏନ୍‌ଆଇଏ ସୂତ୍ରରୁ ଜଣାପଡିଛି । ଏନ୍‌ଆଇଏ ଘଟଣାସ୍ଥଳରୁ ଜବତ କରିଥିବା ସିସିଟିଭି ଫୁଟେଜ୍‌ରୁ ‘ଆଣ୍ଟିଲିଆ’ ନିକଟରେ ବାଜେ ଉପସ୍ଥିତ ଥିବା ନେଇ ସ୍ପଷ୍ଟ ହୋଇଛି ।

ବାଜେଙ୍କ ବିରୋଧରେ ଏହି ମାମଲାକୁ ଆହୁରି ମଜବୁତ କରିବା ପାଇଁ ଏନ୍‌ଆଇଏ ଟିମ୍ ମୁମ୍ବାଇ ପୋଲିସ କମିଶନର ପରିସର ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ବି ସଂଗ୍ରହ କରିବ । ଏହି ସବୁ ସିସିଟିଭି ଫୁଟେଜ୍‌ରୁ ବାଜେଙ୍କ ଗତିବିଧି ଜଣାପଡିବ ବୋଲି ଏନ୍‌ଆଇଏ କହିଛି ।