ଆଣ୍ଟିଲିଆ ମାମଲା: ୧୦ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନ୍ଆଇଏ | News Room Odisha

ଆଣ୍ଟିଲିଆ ମାମଲା: ୧୦ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନ୍ଆଇଏ

ମୁମ୍ବାଇ: ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରେ ମିଳିଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ପାର୍କିଂ ଏବଂ ଏହାର ମାଲିକ ମନସୁଖ ହିରେନଙ୍କ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି। ୧୦ ହଜାର ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ପୋଲିସ ଅଧିକାରୀ ସଚିନ ବାଜେଙ୍କ ସମେତ ଏନଆଇଏ ୧୦ ଜଣଙ୍କୁ ଅଭିଯୁକ୍ତ କରିଛି। ଚାର୍ଜସିଟରେ କୁହାଯାଇଛି ଯେ ମନସୁଖଙ୍କୁ ହତ୍ୟା କରିବା ପାଇଁ ୪୫ ଲକ୍ଷ ଟଙ୍କା ଦିଆଯାଇଥିଲା।

ଜୁନ୍ ୯ରେ ମନସୁଖ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ସ୍ୱତନ୍ତ୍ର କୋର୍ଟ ଏନଆଇଏକୁ ଦୁଇ ମାସ ସମୟ ଦେଇଥିଲେ। ଅନୁସନ୍ଧାନକାରୀ ସଂସ୍ଥା କୋର୍ଟଙ୍କୁ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୫୦ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଏକ ଟିମ୍ ମଧ୍ୟ ତଦନ୍ତ ପାଇଁ ଦିଲ୍ଲୀ ଯାଇ କିଛି ଲୋକଙ୍କୁ ଜେରା କରିଥିଲେ।

ମନସୁଖ ହତ୍ୟା ମାମଲାରେ ଏନଆଇଏ ଦୁଇଟି ଫୋନ ଜବତ କରିଥିଲା। ଏହି ଫୋନ୍‌ଗୁଡିକ ଦିଲ୍ଲୀର ତିହାର ଜେଲରେ ଥିବା ଇଣ୍ଡିଆନ୍ ମୁଜାହିଦ୍ଦିନ ମୁଖ୍ୟ ତହସିନ ଅଖତରଙ୍କ ନିକଟରୁ ଜବତ କରାଯାଇଥିଲା। ଏହି ଦୁଇଟି ଫୋନ୍ ତାଙ୍କର ବୋଲି ଅଖତର ସ୍ୱୀକାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏନଆଇଏ କୋର୍ଟକୁ କହିଛି ଯେ ଏହି ଫୋନଗୁଡିକର ଯାଞ୍ଚ୍ ରୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇପାରେ । ତେଣୁ ଆଉ କିଛି ଦିନ ସମୟ ଦେବାକୁ ଏନ୍ଆଇଏ କୋର୍ଟଙ୍କୁ ନିବେଦନ କରିଥିଲା ।

ଫେବୃଆରୀ ୨୫ରେ ଆଣ୍ଟିଲିଆ ବାହାରେ ଏକ ବିସ୍ଫୋରକ ବୋଝେଇ ସ୍କର୍ପିଓ ମିଳିଥିଲା ​​| କିଛି ଦିନ ପରେ ଟେଲିଗ୍ରାମରେ ଦୁଇଟି ମେସେଜ୍ ପଠାଇ ଜୈଶ-ଉଲ-ହିନ୍ଦ ନାମକ ଏକ ଆତଙ୍କବାଦୀ ସଂଗଠନ ଉକ୍ତ ବିସ୍ଫୋରକ ଭର୍ତ୍ତି ଗାଡ଼ି ପାଇଁ ନିଜକୁ ଦାୟୀ କରିଥିଲା। ସୂଚନାନୁସାରେ, ଅଖତର ଏନଆଇଏକୁ କହିଥିଲା ଯେ ସେ ଟେଲିଗ୍ରାମରେ ମେସେଜ୍ ପଠାଇନଥିଲେ। ଏଥି ସହିତ ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମିଳିଥିବା ପ୍ରମାଣକୁ ମଧ୍ୟ ଏନଆଇଏ ଅନୁସନ୍ଧାନ କରୁଛି। ଅନୁସନ୍ଧାନ ପରେ ସେହି ଅଧିକାରୀଙ୍କୁ ଗିରଫ ପାଇଁ ଅନୁମତି ମଧ୍ୟ ମଗାଯିବ।
ମାନସୁଖ ମାମଲାରେ ଏନ୍ଆଇଏ ମୁମ୍ବାଇ ପୋଲିସ୍ ସଚିନ୍ ବାଜେ, ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା, ରିୟାଜୁଦ୍ଦିନ କାଜୀ ଏବଂ ସୁନୀଲ ମନେଙ୍କୁ ଗିରଫ କରିସାରିଛି। ଏନଆଇଏ ପୂର୍ବତନ ପୋଲିସ କନଷ୍ଟେବଳ ବିନୟକ ସିନ୍ଦେ ଏବଂ କ୍ରିକେଟ୍ ବୁକି ନରେଶ ଗୋରଙ୍କୁ ମଧ୍ୟ ଗିରଫ କରିଥିଲା। ଏହି ସମସ୍ତ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି।