ଆମେରିକାରେ ବି ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ, ବୈଦେଶିକ ସଚିବ ପୋମ୍ପିଓଙ୍କୁ ଚିଠି ଲେଖିଲେ ଆମେରିକୀୟ ସାଂସଦ | News Room Odisha

ଆମେରିକାରେ ବି ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ, ବୈଦେଶିକ ସଚିବ ପୋମ୍ପିଓଙ୍କୁ ଚିଠି ଲେଖିଲେ ଆମେରିକୀୟ ସାଂସଦ

ଓ୍ୱାଶିଂଟନ – ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଏବେ ଆମେରିକାରେ ମଧ୍ୟ ଉଠିଛି। ଏନେଇ ଆମେରିକାର ୭ ଜଣ ସାଂସଦ ବୈଦେଶିକ ସଚିବ ମାଇକ ପୋମ୍ପିଓଙ୍କୁ ଚିଠି ଲେଖିଛନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ସାଂସଦ ପ୍ରମିଳା ଜୟପାଲ ଅଛନ୍ତି। ଆମେରିକାର ସାଂସଦମାନେ ପୋମ୍ପିଓଙ୍କୁ ଭାରତ ସରକାରଙ୍କ ସହ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ଚାଷୀ ଆନ୍ଦୋଳନ ଉପରେ ବିଦେଶୀ ନେତା ତଥା ରାଜନେତାଙ୍କ ମନ୍ତବ୍ୟ “ଅନୁଚିତ” ଏବଂ ଅସମ୍ପୂର୍ଣ୍ଣ ତଥା ଭୁଲ ତଥ୍ୟ ଉପରେ ଆଧାରିତ ବୋଲି ଭାରତ କହିଛି। ଏହା ଏକ ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାରତ କହିଛି। 

ଆମେରିକାର ସାଂସଦମାନେ ଡିସେମ୍ବର ୨୩ରେ ପୋମ୍ପିଓଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଶେଷକରି ପଞ୍ଜାବ ସହିତ ଜଡିତ ଶିଖ ଆମେରିକୀୟମାନଙ୍କ ପାଇଁ ଚାଷୀ ଆନ୍ଦୋଳନ ଚିନ୍ତାର ବିଷୟ ହୋଇଛି । ଅନେକ ଭାରତୀୟ-ଆମେରିକୀୟମାନେ ଏହା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି । କାରଣ ସେମାନଙ୍କର ପରିବାର ସଦସ୍ୟ ଏବଂ ଚାଷ ଜମି ପଞ୍ଜାବରେ ଅଛି । ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ‌ ଟ୍ରୁଡୋ ମଧ୍ୟ ଭାରତରେ ଚାଷୀ ଆନ୍ଦୋଳନ ନେଇ ଚିନ୍ତା ପ୍ରକଟ କରିଥିଲେ ।

Farmers' Protest