ଆମେରିକାରେ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଲାଗିବ ଫାଇଜର ଟିକା, ଅନୁମତି ଦେଲା ଏଫଡିଏ | News Room Odisha

ଆମେରିକାରେ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଲାଗିବ ଫାଇଜର ଟିକା, ଅନୁମତି ଦେଲା ଏଫଡିଏ

ନ୍ୟୟୁର୍କ: କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଆମେରିକା କରୋନା ବିରୋଧୀ ଲଢେ଼ଇରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକାର ଖାଦ୍ୟ ଏବଂ ଔଷଧ ନିୟାମକ (ଏଫଡିଏ) ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଫାଇଜର କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛି।

ଏଫଡିଏ କାର୍ଯ୍ୟନିର୍ବାହୀ କମିଶନର ଡକ୍ଟର ଜାନେଟ ଉଡକକ୍ କହିଛନ୍ତି ଯେ କୋଭିଡ ଟିକା ବ୍ୟବହାର କରିବାର ନିଷ୍ପତ୍ତି ଆମକୁ ସ୍ୱାଭାବିକ ଅବସ୍ଥାକୁ ଆଣିବ। ପିତାମାତା ଏବଂ ଅଭିଭାବକମାନେ ନିଶ୍ଚିତ ହୋଇପାରିବେ ଯେ ଆମେ ଏହି ନିଷ୍ପତ୍ତି ସମସ୍ତ ଉପଲବ୍ଧ ତଥ୍ୟର ଗଭୀର ସମୀକ୍ଷା ପରେ ନେଇଛୁ।

ଏଫଡିଏ ୧୬ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଫାଇଜର ଟିକା ବ୍ୟବହାରକୁ ପୂର୍ବରୁ ମଞ୍ଜୁରି ଦେଇସାରିଛି। ପୂର୍ବରୁ ଫାଇଜର କମ୍ପାନୀ ଦାବି କରିଥିଲା ଯେ ଏହାର ଟିକା ଛୋଟ ପିଲାମାନଙ୍କ ଉପରେ ବି ଭଲ କାମ କରୁଛି । ଏହାର ଠିକ୍ ଏକ ମାସ ପରେ ପିଲାମାନଙ୍କୁ ଏହି ଟିକା ଦେବା ପାଇଁ ପଥ ପରିଷ୍କାର ହୋଇଛି। ଫାଇଜରର ଦୁଇ-ଡୋଜ୍ ଟିକା ବର୍ତ୍ତମାନ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି |