ଆଲର୍ଜି ଥିବା ଲୋକଙ୍କୁ ଫାଇଜର ଟିକା ଦେବ ନାହିଁ ବ୍ରିଟେନ | News Room Odisha

ଆଲର୍ଜି ଥିବା ଲୋକଙ୍କୁ ଫାଇଜର ଟିକା ଦେବ ନାହିଁ ବ୍ରିଟେନ

ଲଣ୍ଡନ – ଫାଇଜର ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକାକୁ ବ୍ରିଟେନ ଏହାର ନାଗରିକଙ୍କୁ ଦେବା ଆରମ୍ଭ କରିଛି । ତେବେ ଏହି ଟିକା ନେବା ପରେ ଦୁଇଜଣ ସ୍ୱାସ୍ଥ୍ୟକର୍ମୀ ଆଲର୍ଜି ନେଇ ଅଭିଯୋଗ କରିଛନ୍ତି । ଏହାପରେ ବ୍ରିଟେନର ଡ୍ରଗ୍ସ ନିୟାମକ ଏହି ଟିକା ଡୋଜ୍ ଆଲର୍ଜି ଥିବା ଲୋକଙ୍କୁ ନ ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ଏହି ବର୍ଗର ଲୋକଙ୍କ ଅବଗତି ନିମନ୍ତେ ଏକ ବୈଧାନିକ ଚେତାବନୀ ମଧ୍ୟ ଜାରି କରାଯାଇଛି । ବ୍ରିଟେନ ମଙ୍ଗଳବାର ଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ୯୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଫାଇଜର ଟିକା ଦିଆଯାଇଛି । ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଫାଇଜର ଓ ବୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ଟିକାର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିଥିଲା । ବ୍ରିଟେନ୍ ପରେ ଏହି ଟିକାକୁ ବାହାରେନ୍ ମଧ୍ୟ ଅନୁମୋଦନ କରିଥିଲା । କାନାଡା ତୃତୀୟ ଦେଶ ଭାବେ ଫାଇଜର ଟିକାର ଜରୁରୀ ବ୍ୟବହାର କରିବାକୁ ସବୁଜ ସଙ୍କେତ ଦେଇଛି ।