ଇଂରାଜୀ ଦୈନିକର ଚାଂଚଲ୍ୟକର ଖୁଲାସା : ଚୀନ୍‌ର ଗୁଇନ୍ଦାଗିରି ତାଲିକାରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କ ସମେତ ବହୁ ଭିଆଇପି | News Room Odisha

ଇଂରାଜୀ ଦୈନିକର ଚାଂଚଲ୍ୟକର ଖୁଲାସା : ଚୀନ୍‌ର ଗୁଇନ୍ଦାଗିରି ତାଲିକାରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କ ସମେତ ବହୁ ଭିଆଇପି

ନୂଆଦିଲ୍ଲୀ – ସୀମା ବିବାଦ ନେଇ ଉତେଜନା ଚାଲିଥିବା ବେଳେ ଚୀନର ଆଉ ଏକ ଭାରତ ବିରୋଧୀ ଷଡଯନ୍ତ୍ର ବାବଦରେ ଖୁଲାସା ହୋଇଛି । ଏକ ପ୍ରମୁଖ ଇଂରାଜୀ ଦୈନିକରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ୍ ଭାରତର ପାଖାପାଖି ୧୦ ହଜାର ବ୍ୟକ୍ତିବିଶେଷ ଓ ସଂସ୍ଥା ଉପରେ ଗୁଇନ୍ଦାଗିରି କରୁଛି । ଚୀନର ସେନଜେନ୍ ସ୍ଥିତ ଏକ ଟେକ୍ନୋଲୋଜି କଂପାନି ଏହି ଗୁଇନ୍ଦାଗିରି କରୁଛି । ଚୀନର ଏହି ଗୁଇନ୍ଦାଗିରି ତାଲିକାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପିଏମ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନେକ ନେତା, ଅଭିନେତା ଓ ଖେଳାଳି ଅଛନ୍ତି ।

ଚୀନ୍ ସରକାରଙ୍କ ସହ ଘନିଷ୍ଠ ସଂପର୍କ ରଖୁଥିବା ଝେନହୁଆ ଡାଟା ଇନଫର୍ମେସନ ଟେକ୍ନୋଲୋଜି ନାମକ ଏକ କଂପାନି ଭାରତୀୟ ବ୍ୟକ୍ତିବିଶେଷଙ୍କ ଉପରେ ଗୁଇନ୍ଦାଗିରି କରୁଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସରର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି ଓ ତାଙ୍କ ପରିବାର ଏବଂ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସଂପୃୃକ୍ତ ଚୀନ୍ କଂପାନିର ଗୁଇନ୍ଦାଗିରି ତାଲିକାରେ ଅଛନ୍ତି । ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଅଛନ୍ତି । କେବଳ ଏତିକି ନୁହେଁ , କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ବି ଗୁଇନ୍ଦାଗିରି ଚଳାଉଛି ଚୀନ୍ । ସିଡିଏସ ବିପିନ ରାୱତ, ନୌସେନା ଓ ବାୟୁସେନାର ଅତିକମରେ ୧୫ ପୂର୍ବତନ ମୁଖ୍ୟ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ସିଏଜିଙ୍କ ଉପରେ ବି ଗୁଇନ୍ଦା ନଜର ରଖିଛି ଚୀନ୍ କଂପାନି । ଅନେକ ବ୍ୟୁରୋକ୍ରାଟ ଓ ବୈଜ୍ଞାନିକମାନେ ବି ଚୀନର ଗୁଇନ୍ଦାଗିରି ତାଲିକାରେ ଅଛନ୍ତି ।