ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, କିଶାନ, ସୂର୍ଯ୍ୟକୁମାର ଓ ତେୱାତିଆଙ୍କୁ ସୁଯୋଗ | News Room Odisha

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, କିଶାନ, ସୂର୍ଯ୍ୟକୁମାର ଓ ତେୱାତିଆଙ୍କୁ ସୁଯୋଗ

ନୂଆଦିଲ୍ଲୀ – ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା ହୋଇଛି । ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ତେୱାଟିଆଙ୍କୁ ପ୍ରଥମ ଥର ସୁଯୋଗ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ବାଦ୍ ପଡିବା ପରେ ରିଷଭ ପନ୍ତ ମଧ୍ୟ ଟି୨୦ ଦଳକୁ ଫେରିଛନ୍ତି ।

ଆଇପିଏଲ ଓ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଭିତ୍ତିରେ ସୂର୍ଯକୁମାର , ଇଶାନ ଓ ତେୱାତିଆଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ଶନିବାର ମଧ୍ୟ ପ୍ରଦେଶ ବିପକ୍ଷ ବିଜୟ ହଜାର ଟ୍ରଫି ମ୍ୟାଚରେ ଇଶାନ ଏକ ବିସ୍ଫୋରକ ଇନିଂସ୍ ଖେଳିବାର କିଛି ଘଣ୍ଟା ପରେ ତାଙ୍କୁ ଟିମ୍ ଇଣ୍ଡିଆ ଦଳକୁ ଡାକରା ମିଳିଛି । ଇଶାନ ଉକ୍ତ ମ୍ୟାଚରେ ମାତ୍ର ୯୪ ବଲରେ ବିସ୍ଫୋରକ ୧୭୩ ରନର ପାଳି ଖେଳିଥିଲେ । ଏହାଛଡ଼ା ସେ ଆଇପିଏଲର ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଭଲ ପ୍ରଦର୍ଶନ କରିଥିଲେ । ସୂର୍ଯ୍ୟକୁମାର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହିପରି ରାଜସ୍ଥାନ ରୟାଲ୍ସ ତରଫରୁ ଖେଳୁଥିବା ତେୱେତିଆ ବି ଗତ ଆଇପିଏଲ ସିଜନରେ ନିଜ ଅଲରାଉଣ୍ଡ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସଞ୍ଜୁ ସାମସନ ବାଦ୍ ପଡିଥିବା ବେଳେ ଆଘାତ କାରଣରୁ ଗତ ଅଷ୍ଟ୍ରେଲିଆ ଗସ୍ତରୁ ବଞ୍ଚିତ ହୋଇଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତି ଦଳରେ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଆଘାତ କାରଣରୁ ଗତ ଆଇପିଏଲ ସିଜନ ଅଧାରୁ ଓହରିଥିବା ଭୁବନେଶ୍ୱର କୁମାର ବି ଦଳକୁ ଫେରିଛନ୍ତି ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଇଶାନ କିଶାନ, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତି, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରାହୁଲ ତେୱାତିଆ, ଟି.ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର ।