ଇଟାୱା ଲାୟନ ସଫାରୀରେ ସିଂହୀ କରୋନା ପଜିଟିଭ୍ | News Room Odisha

ଇଟାୱା ଲାୟନ ସଫାରୀରେ ସିଂହୀ କରୋନା ପଜିଟିଭ୍

‌ଇଟାୱା (ୟୁପି): କରୋନା ଭାଇରସ୍ ଏବେ ପଶୁଙ୍କୁ ବି ଆକ୍ରାନ୍ତ କରିବାରେ ଲାଗିଛି । ନିକଟରେ ହାଇଦ୍ରାବାଦ ସ୍ଥିତ ଏକ ଚିଡ଼ିଆଖାନାରେ ୮ ସିଂହ କରୋନା ପଜିଟିଭ୍ ହେବା ପରେ ଉତ୍ତର ପ୍ରଦେଶର ଇଟାୱା ସ୍ଥିତ ଲାୟନ ସଫାରୀେରେ ଏକ ସିଂହୀ ମଧ୍ୟ ଏହି ଘାତକ ରୋଗରେ ଆକ୍ରାନ୍ତ ହୋଇଛି । ଏହି ସଫାରୀର ଆଉ ଏକ ସିଂହୀଠାରେ ମଧ୍ୟ କରୋନାର ଲକ୍ଷଣ ଦେଖାଦେଇଛି ।
ଭାରତୀୟ ପଶୁଚିକିତ୍ସା ଗବେଷଣା ସଂସ୍ଥା (ଆଇଭିଆରଆଇ) ଠାରୁ ଟେଷ୍ଟ ରିପୋର୍ଟ ମିଳିବା ପରେ ସିଂହୀ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ସଂକ୍ରମିତ ସିଂହୀ ସହ ଅନ୍ୟ ଏକ ସନ୍ଦିଗ୍ଧ ସଂକ୍ରମିତ ସିଂହୀକୁ ଆଇସୋଲେଟ୍ କରାଯାଇଛି । ପଶୁ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଉଭୟଙ୍କ ଚିକିତ୍ସା କରାଯାଉଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି ଇଟାୱା ଲାୟନ ସଫାରୀ କର୍ତ୍ତୃପକ୍ଷ କହିଛନ୍ତି ।

ଉକ୍ତ ଲାୟନ ସଫାରୀରେ କାମ କରୁଥିବା କୌଣସି ସଂକ୍ରମିତ ଲୋକଙ୍କ ଦ୍ୱାରା ଦୁଇ ସିଂହୀ ଆକ୍ରାନ୍ତ ହୋଇଥିବେ ବୋଲି ସନ୍ଦେହ କରାଯାଉଛି । ସଫାରୀର ସିଂହ-ସିଂହୀମାନଙ୍କ ଯତ୍ନନେବା ପାଇଁ ୬ ଜଣ ଲୋକଙ୍କୁ ନିୟୋଜିତ କରାଯାଇଛି । ତେବେ ଏଠାରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ନିୟମିତ ଆରଟି-ପିସିଆରଇ ଟେଷ୍ଟ କରାଯାଉଛି । କେହି ବି ପଜିଟିଭ୍ ଚିହ୍ନଟ ହୋଇନଥାନ୍ତି ବୋଲି ସଫାରୀର ଡେପୁଟି ଡାଇରେକ୍ଟର ସୁରେଶ ଚନ୍ଦ୍ର ରାଜପୁତ କହିଛନ୍ତି । କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ଦୃଷ୍ଟିରୁ ଏହି ଲାୟନ ସଫାରୀକୁ ଗତ ସପ୍ତାହରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।
ନିକଟରେ ହାଇଦ୍ରାବାଦର ଏକ ଚିଡ଼ିଆଖାନାରେ ୮ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।