ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ : ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ କରିବ ନାହିଁ | News Room Odisha

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ : ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ କରିବ ନାହିଁ

ଭୁବନେଶ୍ୱର- ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂୂର୍ବ ପ୍ରଚଳିତ ଆଇନ୍ ସାଂପ୍ରତିକ ସ୍ଥିତିରେ ପ୍ରାସଙ୍ଗିକତା ହରାଇଛି । ତେଣୁ ଏହାର ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏପରି ସ୍ଥିତିରେ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି । ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସଂପର୍କରେ ଆୟୋଜିତ ଏକ ୱେବିନାରରେ ଅଧ୍ୟାଦେଶର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ।

ଏଥିରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ନୂଆ ସଂସ୍କାର ଫଳରେ ବିଶ୍ୱବିଦ୍ୟାଳୟ ଓ କୁଳପତିଙ୍କ ସ୍ୱାଧିନତା କ୍ଷୁଣ୍ଣ ର୍  ହେବ ନାହିଁ । ଅନ୍ୟପଟେ କୁଳପତିଙ୍କ କାର୍ଯ୍ୟକାଳ ୩ବର୍ଷରୁ ୪ ବର୍ଷକୁ ବୃଦ୍ଧି ଓ କୁଳପତିମାନଙ୍କ ଅବସର ବୟସସୀମା ୬୭ ବର୍ଷକୁ ବୃଦ୍ଧି ଫଳରେ ବିଶ୍ୱବିଦ୍ୟାଳୟରେ ସେମାନେ ଦୀର୍ଘମିଆଦି ପରିବର୍ତନ ଆଣିପାରିବେ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ନୂଆ ଅଧ୍ୟାଦେଶରେ କୁଳପତି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକା ନାହିଁ । ଯେହେତୁ ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ୧୦ ଜଣ ସଦସ୍ୟ ଥାଆନ୍ତି, ସେ କ୍ଷେତ୍ରରେ ସିଣ୍ଡିକେଟ୍ କୁଳପତି ଚୟନ କ୍ଷେତ୍ରରେ ଏକ ଆଗ୍ରହୀ ପକ୍ଷ ହୋଇଥାଏ । ଅନ୍ୟ କିଛି ରାଜ୍ୟ ତୁଳନାରେ ଓଡିଶାରେ ରାଜ୍ୟ ସରକାରଙ୍କ କୁଳପତି ଚୟନ କ୍ଷେତ୍ରରେ କୌଣସି ଭୂମିକା ନ ଥିବା ସେ କହିଥିଲେ । ସିନେଟ୍ ବ୍ୟବସ୍ଥା ଉଚ୍ଛେଦ କରାଯାଇ ସିଣ୍ଡିକେଟର ପୁନର୍ଗଠନ କରାଯାଇଛି । ଏହା ଦ୍ୱାରା ଏହା ଅଧିକ ବ୍ୟବସ୍ଥିତ ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତ ଦେଇଥିଲେ ।