ଉତ୍ତରପ୍ରଦେଶ ଅଲିଗଡରେ ଅମ୍ଳଜାନ ଅଭାବରୁ ପାଞ୍ଚ କରୋନା ରୋଗୀଙ୍କ ମୃତ୍ୟୁ | News Room Odisha

ଉତ୍ତରପ୍ରଦେଶ ଅଲିଗଡରେ ଅମ୍ଳଜାନ ଅଭାବରୁ ପାଞ୍ଚ କରୋନା ରୋଗୀଙ୍କ ମୃତ୍ୟୁ

ଅଲିଗଡ: ଅମ୍ଳଜାନ ଅଭାବ ଯୋଗୁ ଉତ୍ତରପ୍ରଦେଶର ଅଲିଗଡର ଏକ ଘରୋଇ ହସ୍ପିଟାଲରେ ପାଞ୍ଚ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ପୋଲିସର ସୂଚନାନୁସାରେ ବୁଧବାର ଏଠାରେ ଥିବା ଗାନ୍ଧୀ ପାର୍କ ଅଞ୍ଚଳର ନୌରଙ୍ଗାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ହସ୍ପିଟାଲର ମାଲିକ ଡ.ସଞ୍ଜୀବ ଶର୍ମା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ହସ୍ପିଟାଲରେ ପର୍ଯ୍ୟାପ୍ତ ଅମ୍ଳଜାନ ଅଛି।

ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଶ୍ୟାମ କାଶ୍ୟପ ନାମକ ଜଣେ ରୋଗୀ ଥିଲେ । ଯାହାଙ୍କ ୫୦ ବର୍ଷୀୟ ଭାଇ ଅନିଲ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଦୁର୍ଘଟଣା ଘଟିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ୪୦ ଅମ୍ଳଜାନ ସିଲିଣ୍ଡର ବ୍ୟବସ୍ଥା କରି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରିଥିଲେ। ଯଦି ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଥିଲା, ତେବେ ବୁଧବାର ରାତି ୯ଟାରେ ହଠାତ୍ କାହିଁକି ଅମ୍ଳଜାନ ଯୋଗାଣ ପାଇଁ ପ୍ରଶାସନକୁ କୁହାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ଘଟଣା ପରେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ହସ୍ପିଟାଲରେ ପାଟିତୁଣ୍ଡ କରିଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲେ ।