ଉତ୍ତରାଖଣ୍ଡ ହିମସ୍ଖଳନ: ଟନେଲରେ ଫସି ରହିଛନ୍ତି ଆହୁରି ୩୪ ଲୋକ, ଉଦ୍ଧାରକାର୍ଯ୍ୟ ଜାରି | News Room Odisha

ଉତ୍ତରାଖଣ୍ଡ ହିମସ୍ଖଳନ: ଟନେଲରେ ଫସି ରହିଛନ୍ତି ଆହୁରି ୩୪ ଲୋକ, ଉଦ୍ଧାରକାର୍ଯ୍ୟ ଜାରି

ଡେରାଡୁନ୍ – ଚାମୋଲି ଜିଲ୍ଲାର ଗ୍ଲେସିୟର ଭାଙ୍ଗିବା କାରଣରୁ ବିପର୍ଯ୍ୟୟ ପରେ ତାପୋବନ-ବିଷ୍ଣୁଗଡ ପ୍ରକଳ୍ପର ଏକ ଟନେଲରେ ଫସି ରହିଥିବା ପ୍ରାୟ ୩୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଆଇଟିବିପି, ଏସଡିଆରଏଫ୍, ସେନା, ଜିଲ୍ଲା ପ୍ରଶାସନର ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାତି ତମାମ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଟନେଲରୁ ୧୩୦ ମିଟର ପର୍ଯ୍ୟନ୍ତ ମାଟି, ପଥର ବାହାର କରାଯାଇଛି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ପ୍ରଭାବିତ ଅଞ୍ଚଳରେ ବିମାନ ସର୍ଭେ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ୧୭୩ ଜଣ ନିଖୋଜ ଥିବାବେଳେ ଏପର୍ଯ୍ୟନ୍ତ ୨୬ ମୃତଦେହ ଉଦ୍ଧାର କରାଯାଇଛି। ମୋଟ ୨୦୨ ନିଖୋଜଙ୍କ ମଧ୍ୟରୁ ସୋମବାର ପୁଣି ୫ ଜଣ ସୁରକ୍ଷିତ ଫେରିଛନ୍ତି। ଅନ୍ୟପକ୍ଷରେ ବାୟୁସେନା ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ରିଲିଫ ସାମଗ୍ରୀ ବଣ୍ଟନ କରିବା ଆରମ୍ଭ କରିଛି।

ଜୋସିମଠ-ମଲାରୀ ରାଜପଥରେ ମୋଟର ପୋଲ ଭାଙ୍ଗିବା ଯୋଗୁଁ ବାହ୍ୟ ସମ୍ପର୍କରୁ ବିଚ୍ଛିନ୍ନ ହୋଇଯାଇଥିବା ଗ୍ରାମରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଚାମୋଲି ଜିଲ୍ଲାକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଏବଂ ଆର.କେ ସିଂହ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ସୋମବାର ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ତାପୋବନରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିଥିଲେ। ମୁଖ୍ୟମନ୍ତ୍ରୀ ସେଠାରେ କେବଳ ରାତି ବିଶ୍ରାମ କରିବେ।

Glacier Burst In UttarakhandUttarakhand's Chamoli