ଉତ୍ତରାଖଣ୍ଡ ହିମସ୍ଖଳନ: ୧୪ ମୃତଦେହ ଉଦ୍ଧାର, ୧୫୦ରୁ ଊର୍ଦ୍ଧ୍ୱ ଏବେ ବି ନିଖୋଜ | News Room Odisha

ଉତ୍ତରାଖଣ୍ଡ ହିମସ୍ଖଳନ: ୧୪ ମୃତଦେହ ଉଦ୍ଧାର, ୧୫୦ରୁ ଊର୍ଦ୍ଧ୍ୱ ଏବେ ବି ନିଖୋଜ

ଡେରାଡୁନ୍ – ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟଣାରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ୧୪ ମୃତଦେହ ଉଦ୍ଧାର କରାଯାଇଛି । ତେବେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଏବେ ବି ନିଖୋଜ ଅଛନ୍ତି । ଏହି ବିପର୍ଯ୍ୟୟରେ ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ଓ ଏନ୍‌ଟପିସିର ପ୍ରକଳ୍ପରେ ବ୍ୟାପକ କ୍ଷତି ହୋଇଛି । ଏହି ପ୍ରକଳ୍ପରେ କାମ କରୁଥିବା ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ନିଖୋଜ ଅଛନ୍ତି ।

ସୋମବାର ସକାଳେ ପୁଣି ନିଖୋଜଙ୍କ ସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଛି । ଭାରତୀୟ ବାୟୁସେନା ତରଫରୁ କୁହାଯାଇଛି ଯେ ଡେରାଡୁନରୁ ଏକ ବିପର୍ଯ୍ୟୟ ପରିଚାଳନା ଦଳ ସହ ଏମ୍‌ଆଇ-୧୭ ଏବଂ ଏଏଲ୍‌ଏଚ୍ ହେଲିକପ୍ଟରକୁ ଉଦ୍ଧାରକାର୍ଯ୍ୟ ପାଇଁ ଯୋଶୀମଠ ପଠାଯାଇଛି । ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ସେନାର ୧୦୦, ଆଇଟିବିପିର ୩୧୫, ଏନ୍‌ଡିଆରଏଫ୍‌ର ୨୫୦ ଯବାନଙ୍କୁ ମଧ୍ୟ ରିଲିଫ୍ ଓ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କରାଯାଇଛି । ଏନ୍‌ଡିଆରଏଫ୍ ସୂଚନା ମୁତାବକ, ରବିବାର ପୂର୍ବାହ୍ନ ୧୦ଟା ୫୦ ମିନିଟରେ ଯୋଶୀମଠ ଠାରୁ ୧୫ କିଲୋମିଟର ଦୂର ରେଣୀ ଗାଁ ନିକଟରେ ହିମସ୍ଖଳନ ଦ୍ୱାରା ଋଷିଗଙ୍ଗା ଓ ଧଉଳିଗଙ୍ଗା ନଦୀରେ ହଠାତ୍ ବନ୍ୟା ଆସିଥିଲା ।